ଧୋକାବାଜ୍ ପ୍ରେମିକ : ମଥାରେ ସିନ୍ଦୁର ଦେଇ ରଖିଲା ଶାରୀରିକ ସମ୍ପର୍କ, ଏବେ କରିଦେଲା ପର, ନ୍ୟାୟ ପାଇଁ ଏସ୍ପି ଅଫିସରେ ପୀଡିତା
26/11/2020 at 12:36 PM

ଅନୁଗୁଳ,୨୬/୧୧: ପ୍ରେମ ଜାଲରେ ଫସାଇଲା ଧୋକାବାଜ ପ୍ରେମିକ। ବିବାହ କରିବା ନାଁରେ ରଖିଲା ଶାରୀରିକ ସମ୍ପର୍କ । କିନ୍ତୁ ବିବାହ ପାଇଁ ଆଉ ଧରାଛୁଆଁ ଦେଲାନି। ପ୍ରେମିକା ବିବାହ ପାଇଁ ଜିଦ୍ କରିବାରୁ ଶୁଣିବାକୁ ପଡିଲା ଅଶ୍ଳୀଳ ଗାଳିଗୁଲଜ ଆଉ ମିଳିଲା ହତ୍ୟା ଧମକ। ଏପରି ଏକ ଘଟଣା ଅନୁଗୋଳ ଜରପଡ଼ା ଥାନା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ବାଧ୍ୟ ହୋଇ ନାବାଳିକା ପୀଡ଼ିତା ସ୍ଥାନୀୟ ଜରପଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପୋଲିସ ଅଭିଯୁକ୍ତକୁ ନଧରିବାରୁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତା ।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ୮ ମାସ ତଳେ ତୁବେ ଗାଁର ଦୀପକ ବେହେରା ପାଖ ଗାଁର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ସମ୍ପର୍କ ଆଗକୁ ବଢିବା ପରେ ନାବାଳିକାକୁ ବାଇକ୍ରେ ବସାଇ ବଡ଼କେରା କଳାପାଟ ମନ୍ଦିରକୁ ନେଇଥିଲା । ସେଠାରେ ତାଙ୍କ ମଥାରେ ସିନ୍ଦୁର ଲଗାଇବା ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଏପିରିକି ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା । ଆହୁରି ମଧ୍ୟ ଗତ ୧୯ ତାରିଖରେ ନାବାଳିକାକୁ ଘରୁ ଡାକି ଆଣିଥିଲା ଦୀପକ । ବିବାହ ନେଇ କଥାବାର୍ତ୍ତା ଅଛି କହି ବାଇକ୍ରେ ଚମ୍ପତ୍ତିମୁଣ୍ଡା ଆଣିଥିଲା । ସେଠାରେ ପୁନର୍ବାର ନାବାଳିକା ସହ ଶାରୀରିକ ସମ୍ପର୍କ ରଖିବା ସହ ବଡ଼କେରା ଛକରେ ଛାଡ଼ି ଦେଇ ଚାଲି ଯାଇଥିଲା । ପରେ ନାବାଳିକା ଦୀପକର ଘରେ ପହଞ୍ଚିଥିଲେ ମଧ୍ୟ ମାତ୍ର ଦୀପକଙ୍କ ପରିବାର ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା ।
ସେଠାରେ ଦୀପକ ପହଞ୍ଚି ନାବାଳିକାକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏନେଇ ପୀଡ଼ିତା ଗତ ୨୦ ତାରିଖରେ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏବେଯାଏଁ ପୋଲିସ କିଚି ଆଖି ଦୃଶିଆ ପଦକ୍ଷେପ ନେଇନାହିଁ । ଅଭିଯୁକ୍ତକୁ ଧରିବାକୁ ପୋଲିସ ପଛଘୁଞ୍ଚା ଦେବାରୁ ବାଧ୍ୟହୋଇ ପୀଡ଼ିତା ବୁଧବାର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି ।