ଘରକୁ ଟିଉସନ ପଢିବାକୁ ଆସୁଥିବା ନାବାଳିକାକୁ ମାରି ଟ୍ରଲି ବେଗରେ ପୁରାଇ ଫିଙ୍ଗିଦେଲେ : ହତ୍ୟାକାରୀ ଦମ୍ପତି ଗିରଫ

Published By : Prameya-News7 Bureau | November 11, 2018 IST

ଦିଲ୍ଲୀ ୧୧/୧୧ : ତିମାରପୁର ଅଂଚଳରୁ ଏକ ଟ୍ରଲି ବ୍ୟାଗରୁ ଜଣେ ୧୧ ବର୍ଷ ବୟସ୍କ ନାବାଳିକାର ମୃତଦେହ ଜବତ କରିଛି ପୋଲିସ | ନାବାଳିକାକୁ ଏକ ଦମ୍ପତ୍ତି ହତ୍ୟା କରି ଫୋପାଡ଼ି ଦେଇଥିବା ପୋଲିସ ସୂତ୍ରରୁ ଜଣାପଡିଛି | ହତ୍ୟାକାରୀ ଦମ୍ପତି ହେଲେ ୩୫ ବର୍ଷ ବୟସ୍କ ରଜବ ଏବଂ ତାର ୩୨ ବର୍ଷ ବୟସ୍କା ସ୍ତ୍ରୀ ରୁକସାର | ହତ୍ୟାକାରୀ ଦମ୍ପତିକୁ ପୋଲିସ ଗିରଫ କରିଛି | ତେବେ ନାବାଳିକା ସହ ଦୁଷ୍କର୍ମ ହୋଇଛି କି ନାହିଁ ତାହା ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ଜଣାପଡିବ ବୋଲି କହିଛନ୍ତି ଡିସିପି ଏ.କେ.ଠାକୁର | ପୋଲିସ ସୂତ୍ରରୁ ଜଣାପଡିଛି ଯେ, ନାବାଳିକା ଜଣକ ଦମ୍ପତିଙ୍କ ଘରକୁ ଟିଉସନ ପଢିବାକୁ ଯାଉଥିଲା | ଗତ ୫ଦିନ ହେଲା ସେମାନେ ନାବାଳିକାକୁ ନିଶ୍ଚେତକ ଦେଇ ନିଜ ଘରେ ରଖିଥିଲେ | ଗତ ୨୭ ତାରିଖରେ ନାବାଳିକାକୁ ହତ୍ୟା କରି ତାର ମୃତଦେହକୁ ଏକ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ରଜବ ତିମାରପୁରର ଏକ ରାସ୍ତା କଡରେ ଫିଙ୍ଗିଦେଇଥିଲା | ପରଦିନ ପୋଲିସ ବ୍ୟାଗଟିକୁ ଜବତ କରିଥିଲା | ଘଟଣା ସମ୍ପର୍କରେ ନାବାଳିକାଙ୍କ ବାପା କହିଛନ୍ତି ଯେ, ନାବାଳିକାର ଆଧାର କାର୍ଡ ନଥିବା ଯୋଗୁଁ ସେ ସ୍କୁଲ ଯାଇପାରୁନଥିଲେ | ଏହା ଜାଣି ଏହି ଦମ୍ପତି ନାବାଳିକାର ବାପାଙ୍କୁ କହିଥିଲେ ଯେ ସେମାନେ ତାଙ୍କୁ ନିଜ ଘରେ ପଢ଼େଇଦେବେ ଆଉ ଏଇଥିପାଇଁ କୌଣସି ଫିସ ମଧ୍ୟ ନେବେ ନାହିଁ | ଦମ୍ପତିଙ୍କ କଥାରେ ନାବାଳିକାର ବାପା ରାଜି ହୋଇଯାଇଥିଲେ | ସେତେବେଳେ ରୁକସାର ଗର୍ଭବତୀ ଥିଲେ | ଗତ ୨୨ ତାରିଖରେ ନାବାଳିକା ପଢିବାକୁ ଯାଇ ଘରକୁ ଫେରିନଥିଲେ | ଏନେଇ ନାବାଳିକାଙ୍କ ବାପା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ | ତେବେ ପୋଲିସ ଏକ ମାମଲା ରୁଜ୍ଜୁ କରି କୌଣସି ତଦନ୍ତ କରିନଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି | ତେବେ ପୋଲିସ ଆଗରୁ ଏହି ଦମ୍ପତିକୁ ଜେରା କରିଥିଲେ ତାଙ୍କ ଝିଅ ବଂଚି ଯାଇଥାନ୍ତା ବୋଲି ନାବାଳିକାଙ୍କ ବାପା କହିଛନ୍ତି | ପୋଲିସର ଜେରା ବେଳେ ହତ୍ୟାକାରୀ ରାଜାବ କହିଥିଲା ଯେ, ଗତ ୨୨ ତାରିଖରେ ନାବାଳିକାର ହାତରେ ଆଘାତ ହୋଇଥିଲା ଏବଂ ସେ ଯେତେବେଳେ କାନ୍ଦିବା ଆରମ୍ଭ କରିଥିଲା ରାଜାବ ତାକୁ ଚାପୁଡ଼ା ମାରିଥିଲା | ଚାପୁଡ଼ା ମାରିବା ଯୋଗୁଁ ନାବାଳିକା ବେହୋସ ହୋଇଯାଇଥିଲା | ଯେତେବେଳେ ରାଜାବ ଏବଂ ତା ସ୍ତ୍ରୀ ଜାଣିବାକୁ ପାଇଲେ ଯେ, ନାବାଳିକାର ବାପା ପୋଲିସରେ ମାମଲା ରୁଜ୍ଜୁ କରିଛନ୍ତି ସେତେବେଳେ ସେମାନେ ନାବାଳିକାକୁ ଅନ୍ୟ ଏକ ଘରକୁ ନେଇଯାଇଥିଲେ ଏବଂ ସେଠାରେ ତାର ତଂଟି ଚିପି ହତ୍ୟା କରିଥିଲେ | ଦମ୍ପତିଙ୍କୁ ଗିରଫ କରିବ ପରେ ପୋଲିସ ସ୍ଥାନୀୟ ଅଂଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ | ସିସିଟିଭିରେ ପୋଲିସ ଦେଖିଥିଲା ଯେ ରଜବ ନିଜ ସ୍କୁଟରରେ ଏକ ବ୍ୟାଗ ଧରି କେଉଁଆଡକୁ ବାହାରିଯାଇଥିଲା | ଯେଉଁ ବ୍ୟାଗ ଧରି ଘରୁ ବାହାରିବା ଫୁଟେଜରେ ପୋଲିସ ଦେଖିଥିଲା ସେହି ବ୍ୟାଗରୁ ହିଁ ନାବାଳିକାର ମୃତଦେହ ଉଦ୍ଧାର କରିଥିଲା ପୋଲିସ | ନାବାଳିକାକୁ ଯେଉଁ ରୁମଲରେ ତଂଟି ଚିପି ହତ୍ୟା କରାଯାଇଥିଲା ସେହି ରୁମଲ ଓ ତାଙ୍କ ସାର୍ଟ ମଧ୍ୟ ରଜବ ଘରୁ ଜବତ ହୋଇଥିଲା | ରଜବ ଦର୍ଜୀ କାମ କରୁଥିଲା | ପୋଲିସ କହିବା ଅନୁଯାୟୀ ରଜବ ନିଜ ସାବତ ମାର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ନେଇ ପୂର୍ବରୁ ଜେଲରେ ଥିଲା ଏବଂ ଜାମିନରେ ଆସିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.