ଜ୍ବାଇଁର ଉଚ୍ଛୁଳା ପ୍ରେମକୁ ସମ୍ପତ୍ତି ଲୋଭ : ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ଶାଳୀକୁ କହୁଛି ବାହାହେବି, ଲାଜରେ ବିଷ ପିଇଦେଲା ନାବାଳିକା

Published By : Prameya-News7 Bureau | April 17, 2021 IST

ମନମୁଣ୍ଡା ୧୭।୪ (ପ୍ରମେୟ):  ବିବାହର ୪ ବର୍ଷ ପରେ ବି ଯୌତୁକ ଦାବିରେ ନିର୍ଯାତନା । ଅଧିକ ଯୌତୁକ ଦାବିରେ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ନାବାଳିକା ଶାଳୀକୁ ବିବାହ ପାଇଁ ଜିଦ୍ କରୁଛନ୍ତି ଖୋଦ୍ ଭିଣୋଇ । ଶାଶୁ, ଶ୍ବଶୁରଙ୍କୁ ମାଡ ମାରି ନାବାଳକ ଶଳାକୁ ଅପହରଣ କରିବାକୁ ବି ପଛାଇନାହାନ୍ତି । ଏପରିକି ଚିନ୍ତା ଓ ଆତ୍ମସମ୍ମାନ ପାଇଁ ନାବାଳିକା ଶାଳୀ ବିଷ ପିଇ ଗୁରୁତର ହୋଇଛନ୍ତି । ଏଭଳି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା (ରକସା) ପଞ୍ଚାୟତ ଚୌରିଆପଦର ଗାଁରେ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଥାନା ସାମ୍ପଚ ଗାଁର ଲବ ସାହୁଙ୍କ ପୁଅ ରାଜେଶ ୪ ବର୍ଷ ତଳେ ମନମୁଣ୍ଡା ଥାନା ଚୌରିଆପଦରର ଶ୍ୟାମସୁନ୍ଦର ସାହୁଙ୍କ ଝିଅ ଦୀପାଳିଙ୍କୁ ବାହା ହୋଇଥିଲା । ସେମାନଙ୍କ ୨ଟି ପୁଅ ମଧ୍ୟ ଅଛନ୍ତି । ବିବାହ ବେଳେ ଦୀପାଳିଙ୍କ ପରିବାର ଦାବି ମୁତାବକ ଜିନିଷ ବି ଦେଇଥିଲେ । କିନ୍ତୁ ରାଜେଶ ଅଧିକ ଯୌତୁକ ଓ ନଗଦ ୧ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ କହି ଦୀପାଳିଙ୍କୁ ନିର୍ଯାତନା ଦେଇ ଆସୁଥିଲା । ପରେ ରାଜେଶ ୧୪ ବର୍ଷର ନାବାଳିକା ଶାଳୀଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ । ଏଥିରେ ସ୍ତ୍ରୀ ପ୍ରତିବାଦ କରିବାରୁ ଶାଳୀଙ୍କୁ ସ୍କୁଲ ଗଲାବେଳେ ଅପହରଣ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ଶାଳୀକୁ ବିବାହ କରିବାକୁ ଶାଶୁ ଓ ଶ୍ବଶୁରଙ୍କୁ ମଧ୍ୟ କହିଥିଲେ । ମାତ୍ର ସେମାନେ ଏଥିରେ ରାଜି ନହେବାରୁ ଶାଳୀକୁ ଅପହରଣ କରିବାକୁ ଧମକ ଦେଇଥିଲା ।

ଏଭଳି ସ୍ଥିତିରେ ଲୋକ ଲଜ୍ଜା ଭୟରେ ନାବାଳିକା ଜଣଙ୍କ ଗତ ୧୦ ତାରିଖରେ ବିଷ ପିଇ ଦେଇଥିଲେ । ତାଙ୍କୁ ପ୍ରଥମେ ସୋନପୁର ଓ ପରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।  ଏହାପରେ ରାଜେଶ ଗତ ୧୪ ତାରିଖ ସ୍ତ୍ରୀ ଓ ସାନ ପୁଅକୁ ଶ୍ବଶୁର ଘରେ ଛାଡ଼ି ଦେଇଥିଲେ । ସେହି ଦିନ ଅପରାହ୍ନରେ ଆଉ ୩ ଜଣଙ୍କ ସହ ୨ଟି ବାଇକରେ ଆସି ଶାଳୀକୁ ବାହା ନ ଦେଲେ ନାବାଳକ ଶଳାକୁ ମାରିଦେବ ବୋଲି କହି ବାଇକ୍‌ରେ ବସାଇ ଅପହରଣ କରି ନେଇଯାଉଥିଲେ । ନାବାଳକର କାକା ଗ୍ରାମବାସୀଙ୍କ ସହାୟତାରେ ସହ ସେମାନଙ୍କଠାରୁ ନାବାଳକକୁ ଉଦ୍ଧାର କରିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ମାମଲା ରୁଜୁ କରାଯାଇଛି । ଏତଲା ଆଧାରରେ ଜ୍ବାଇଁ ସହ ୩ ସାଙ୍ଗକୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.