ଛୋଟ ଝିଅର ସଙ୍ଗୀନ ଅଭିଯୋଗ, ମା ମୋତେ ଅବାଟରେ ଯିବାକୁ ବାଧ୍ୟ କରୁଛି…

Published By : Prameya-News7 Bureau | July 19, 2021 IST

ଗୋପ ୧୯/୦୭: କଥାରେ ଅଛି ମା ନାହିଁ ତ ସାହା ନାହିଁ। ପିଲାଟିଏ ପାଇଁ ତାର ମା’ ହିଁ ସବୁକିଛି। ଦୁନିଆ ସହ ଲଢ଼ିବା ପୂର୍ବରୁ ମା’ର ଆଶୀର୍ବାଦ ଏକାନ୍ତ କାମ୍ୟ। କିନ୍ତୁ ଯେତେବେଳେ ସେହି ମା’ ନିଜ ଜନ୍ମକଲା ପିଲାକୁ ଅବାଟରେ ଯିବାକୁ ବାଧ୍ୟ କରେ ଏବଂ ନିର୍ଯାତନା ଦିଏ ସେତେବ​‌ଳେ ମା-ଛୁଆର ସମ୍ପର୍କ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ। ସେମିତି ଜଣେ ମାର କାରନାମାର ପର୍ଦ୍ଦାଫାସ କରିଛି ତାର ନିଜ ଝିଅ। ବାପାକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ସହ ପର ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖୁଥିବା ମା’ର କଳା କାରନାମା ଜାଣିବା ଝିଅକୁ ଭାରି ପଡ଼ିଛି।

ଝିଅ ସମସ୍ତ ଘଟଣା ଜାଣିପାରିବା ପରେ ତାକୁ ବିରାଙ୍ଗନା ସଜାଇବାକୁ ବି ପଛାଇନାହିଁ ନିଜ ଜନ୍ମକଲା ମା’। ପର ପୁରୁଷଙ୍କ ସହ ଶୋଇବାକୁ ବାଧ୍ୟ କରିବା ଠାରୁ ଆରମ୍ଭ କରି ପର ଘରେ ବାସନ ମଜା କରାଉଥିଲା ମା’। ତେବେ ପୁରୀ ଜିଲ୍ଲା ଗୋପ ଥାନାରେ ରବିବାର ସନ୍ଧ୍ୟାରେ ଏନେଇ ଜଣେ ନାବାଳିକା ନିଜ ମାଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ନାବାଳିକାଙ୍କ ମା ତାଙ୍କୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିବା ସହିତ ନିଜ ବାପାଙ୍କୁ ଶାବଳ ପକାଇ ମାରିଦେବା ପାଇଁ ଉଦ୍ୟମ କରିଥିବା କହିଛନ୍ତି । ନାବାଳିକାଙ୍କୁ କଟକ ଅଞ୍ଚଳର ଏକ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟା ଭୁବନେଶ୍ବରରୁ ଉଦ୍ଧାର କରି ଗୋପ ଥାନାକୁ ଆଣିଥିଲେ। କିନ୍ତୁ ସମସ୍ତ ଅଭିଯୋଗ ଶୁଣିବା ପରେ ପୋଲିସ କିଛି ଆକ୍ସନ ନେବା ପରିବର୍ତେ ପୀଡ଼ିତାଙ୍କୁ ପୁରୀରେ ଥିବା ସୁଧାର ଗୃହରେ ଛାଡ଼ି ଦେଇ ନିଜ ମୁଣ୍ଡରୁ ବୋଝ ହାଲକା କରିଥିବା ନେଇ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଗୋପ ଥାନା ଅଞ୍ଚଳର ଏକ ଗ୍ରାମର ଜଣେ ମହିଳା ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ ରହି ଘରୋଇ ହସ୍ପିଟାଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ସାତ ବର୍ଷ ତଳେ ନିଜ ସ୍ବାମୀଙ୍କୁ ଶାବଳ ପକାଇ ମାରିଦେବାକୁ ଉଦ୍ୟମ କରିଥିବାବେଳେ ସ୍ବାମୀ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି । ମହିଳାଜଣଙ୍କ ନିଜେ କିଛି ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଝିଅ ଦେଖିବା ପରେ ନାବାଳିକା ଝିଅକୁ ମା ପର ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ସହିତ ଘରଭଡ଼ା ନେଇ ରହୁଥିବା ମାଲିକଙ୍କର ବାସନ ମଜାଇବା, ଲୁଗା ସଫା କରାଇବା, ଅନେକ ଅଶ୍ଳୀଳ କାର୍ଯ୍ୟରେ ନିୟୋଜିତ କରାଇବା ନେଇ ନାବାଳିକା ଅଭିଯୋଗ ଆଣିଛନ୍ତି ।  ନାବାଳିକ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ସମ୍ବଲପୁର ଅଞ୍ଚଳର ଜଣେ ଯୁବକ ଓ ପାରାଦୀପର ସାଗର ବେଦାନ୍ତ ନାମକ ଜଣେ ଯୁବକ ସହିତ ଖରାପ ସମ୍ପର୍କ ରଖିବା ପାଇଁ ତାଙ୍କ ମା ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି  ।

ନାବାଳିକା ଜଣଙ୍କ ନିଜ ମା ଠାରୁ ଶାରିରୀକ ମାନସିକ ନିର୍ଯାତନା ପାଇବା ପରେ ଘରୁ କୌଣସି ଉପାୟରେ ଖସି ଆସି କଳ୍ପନାଠାରେ ରହିଥିବା ବେଳେ କଟକ ମଙ୍ଗଳାବାଗ ଅଞ୍ଚଳର ଆଶ୍ବସ୍ତି ଫାଉଣ୍ଡେସନ ନାମକ ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ରାଜଲକ୍ଷ୍ମୀ ମହାନ୍ତି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ସେ ଗୋପ ଥାନା ଅଞ୍ଚଳର ଏବଂ ତାଙ୍କ ପ୍ରତି ନିଜ ମା’ ଅମାନୁସିକ କାର୍ଯ୍ୟ କରିଥିବା ଜାଣିବାକୁ ପାଇଥିଲେ । ରାଜଲକ୍ଷ୍ମୀ ନାବାଳିକାଙ୍କୁ ଧରି ଗୋପ ଥାନାରେ ପହଞ୍ଚିବା ପରେ ଗୋପ ପୋଲିସ୍‌ କିଛି ସମୟ ଥାନାରେ ରଖି ବୟାନ ରେକର୍ଡ଼ କରିବା ପରେ ଥାନାର ମହିଳା ସବ୍‌ଇନସ୍ପେକ୍ଟର ପ୍ରିୟା ପ୍ରଧାନ ନାବାଳିକାଙ୍କୁ ପୁରୀ ସୁଧାର ଗୃହକୁ ଛାଡ଼ିବା ପାଇଁ ଯାଇଥିଲେ । ଜଣେ ନାବାଳିକା ସଙ୍ଗୀନ ଅଭିଯୋଗ ଆଣିବା ପରେ କାହିଁକି ଗୋପ ପୋଲିସ୍‌ ଏଫ୍‌ଆଇଆର୍‌ ନକରି ନିଜ ମୁଣ୍ଡରୁ ବୋଝ ହଟାଇ ତାଙ୍କୁ କାହା ଅନୁମତିରେ ନେଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

ଏନେଇ ପୁରୀ ଜିଲ୍ଲା ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି,  ସନ୍ଧ୍ୟା ହେବା ପରେ ଥାନାରେ ଜଣେ ନାବାଳିକାଙ୍କୁ ରଖିବା ଠିକ୍‌ ନୁହେଁ ।  ଘଟଣା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ନିଆଯିବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । କେହିବି ଜଣେ ଏହି ଘଟଣାରୁ ଖସିପାରିବେ ନାହିଁ । ଗୋପ ପୋଲିସ୍‌ ଏଫ୍‌ଆଇଆର୍‌ କରି ଖଣ୍ଡଗିରିକୁ ପଠାଇବା କଥା । କାହିଁକି କରିନାହିଁ ମୁଁ ତଦନ୍ତ କରୁଛି । ସେହିପରି ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର କହିଛନ୍ତି ମାମଲା ରୁଜୁ କରାଯିବା କଥା । ଏହା ସହ ସେ  ତଦନ୍ତ କରୁଛନ୍ତି ବୋଲି କହିଛନ୍ତି । ଗୋପ ଥାନା ମହିଳା ସବ୍‌ଇନସ୍ପେକ୍ଟର ପ୍ରିୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ତଦନ୍ତ କରିଛୁ । ବୟାନ ରେକର୍ଡ଼ କରିଛୁ । ସୋମବାର ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯିବ । ବୟାନ ରେକର୍ଡ଼ ପରେ ବିଚାରପତି ଯାହା ନିର୍ଦ୍ଦେଶ ଦେବେ ସେ ଅନୁସାରେ କାର୍ଯ୍ୟ କରାଯିବ ଏବଂ ସିଡବ୍ଲ୍ୟୁସି ପୁରୀଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.