ମୋବାଇଲରେ ନଗ୍ନ ଫଟୋ ଓ ତାପରେ ବ୍ଲାକମେଲିଂ: ସହିନପାରି ଆତ୍ମହତ୍ୟା କଲା ନାବାଳିକା, ପୋଲିସ ଆକ୍ସନକୁ ନେଇ ସନ୍ଦେହ

Published By : Prameya-News7 Bureau | October 13, 2018 IST

ପାରାଦୀପ ୧୩|୧୦: ମୋବାଇଲରେ ନଗ୍ନ ଫଟୋ ପଠାଇ ଗୋଟେ ଝିଅକୁ ବ୍ଲାକମେଲ୍କରୁଛନ୍ତି କିଛି ଯୁବକ । ଝିଅର ପରିବାରକୁ ୧୫ଲକ୍ଷ ଟଙ୍କା ଦେବାକୁ ଦାବି କରୁଛନ୍ତି ।  ଟଙ୍କା ନଦେଲେ ସାନଝିଅକୁ ଉଠାଇ ନେବାକୁ ଧମକ ଦେଉଛନ୍ତି । ମୋବାଇଲରେ ନିଜ ଫଟୋ ଦେଖି ଆତ୍ମହତ୍ୟା ଉଦ୍ୟମ କରୁଛି ଝିଅଟି । ଆଉ ହସ୍ପିଟାଲ ବେଡ୍ରେ ୧୩ଦିନ ଧରି ଜୀବନ ସହ ସଂଘର୍ଷ ପରେ ଶେଷରେ ଆଖି ବୁଜି ଦେଉଛି । ଅଭିଯୋଗ ପରେ ପୋଲିସ ଫଟୋ ପଠାଇଥିବା ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରୁଛି । ହେଲେ ତାସହିତ ଥିବା ଅନ୍ୟମାନଙ୍କୁ ଛାଡ଼ି ଦେଉଛି । କୁହାଯାଉଛି ପଲିଟିକାଲ ପ୍ରେସରରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସାହସ କରୁନି । ଝିଅର ପରିବାର ଏବେ କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରୁଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପାରାଦୀପ ଅଭୟଚାନ୍ଦପୁର ଥାନା ରଙ୍ଗିଆଗଡ଼ ମଝିବେଲାରି ଗାଁରୁ । ନ୍ୟାୟ ପାଇଁ ନେହୁରା ହେଉଛନ୍ତି ମୃତ ନାବାଳିକାଙ୍କ  ଅସହାୟ ପରିବାର । କାହିଁକି ନା ଏମାନେ ଆଖି ସାମ୍ନାରେ ନିଜ ନାବାଳିକା ଝିଅକୁ ଛଟପଟ ହୋଇ ମରିବାର ଦେଖିଛନ୍ତି । କାହିଁକି ନା କିଛି ଉତ୍ସୃଙ୍ଖଳ, କିଛି ବିକୃତ ମାନସିକ ଯୁବକଙ୍କ ପାଇଁ ନିଜର ଅଲିଅଳ ଝିଅକୁ ହରାଇବାକୁ ବାଧ୍ୟ ହୋଇଛନ୍ତି । କାହିଁକି ନାଅଭିଯୋଗ ପରେ ବି ପୋଲିସ ପଲିଟିକାଲ ପ୍ରେସରର ବଶବର୍ତ୍ତୀ ହୋଇ ହାତ ବାନ୍ଧି ବସିଥିବାର ଅନୁଭବ କରୁଛନ୍ତି । ୧୫ଲକ୍ଷ ଟଙ୍କା ଦିଅ ନହେଲେ ତୁମ ସାନ ଝିଅକୁ ଉଠାଇ ନେଇ ରେପ୍କରିଦେବୁ । ଏମିତି ଧମକପୂର୍ଣ୍ଣ ଚିଠି, ଆଉ ମୋବାଇଲରେ ଝିଅର ନଗ୍ନ ଫଟୋ ପଠାଇ ବ୍ଲାକ୍ମେଲ୍କରୁଥିଲେ କିଛି ଯୁବକ । ଏସବୁ ଘଟଣା ପରେ ଗଲା ସେପ୍ଟେମ୍ବର ୨୭ରେ ଝିଅଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଆଉ ୧୩ଦିନ କାଳ ହସ୍ପିଟାଲ ବେଡ୍ରେ ପଡ଼ି ପଡ଼ି ଶେଷରେ ଆଖି ବୁଝିଲା । ଅଭିଯୋଗ ପରେ ପୋଲିସ ଫଟୋ ପଠାଇଥିବା ଯୁବକ ଜୟ ପ୍ରକାଶ ସ୍ବାଇଁ ଓରଫ ସିତୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ସିତୁ ସହ ଥିବା ଅନ୍ୟ ଯୁବକମାନଙ୍କ ଦେହରେ ହାତ ମାରିବାକୁ ସାହସ କରିପାରୁନି । କୁହାଯାଉଛି ପଲିଟିକାଲ ପ୍ରେସରରେ ଆକ୍ସନ ନେବାକୁ ଡରୁଛି ପୋଲିସ । ପାରାଦୀପ ଅଭୟଚାନ୍ଦପୁର ଥାନା ରଙ୍ଗିଆଗଡ଼ ମଝିବେଲାରି ଗାଁରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଏସପି ଅବଗତ ଅଛନ୍ତି । ତାପରେ ମଧ୍ୟ ପୋଲିସର ଆକ୍ସନକୁ ନେଇ ଉଠିଛି ପ୍ରଶ୍ନ । କିଛି ରାଜନେତାଙ୍କ ଛତ୍ରଛାୟା ତଳେ ରହି ସମାଜରେ ଏମିତି ଉନ୍ମତକାଣ୍ଡ ଘଟାଉଥିବା ଅଭିଯୁକ୍ତଙ୍କୁ ପୋଲିସ କଣ ପାଇଁ ଘଣ୍ଟ ଘୋଡ଼ାଉଛି । ଏମାନେ କଣ ସବୁ ଆଇନ୍କାନୁନ୍ର ଉର୍ଦ୍ଧ୍ବରେ ? ପୂରା ଘଟଣାର ତଦନ୍ତ କରି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ସହ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.