ଭୋଜିରୁ ଅପମାନିତ ହୋଇ ଆସିବା ପରେ ନିଜ ଦେହରେ ନିଆଁ ଲଗାଇ ଦେଲେ ନାବାଳିକା : ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Published By : Prameya-News7 Bureau | October 30, 2020 IST

ଶିବପୁରୀ ୩୦/୧୦: ମଧ୍ୟପ୍ରଦେଶର ଶିବପୁରୀରେ ଏକ ଭୋଜିରୁ ନାବାଳିକାଙ୍କୁ ବିତାଡ଼ିତ କରି ଦିଆଯିବା ପରେ ସେ ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି। ୯୦ପ୍ରତିଶତ ପୋଡ଼ି ଯାଇଥିବା ନାବାଳିକାଙ୍କ ଚିକିତ୍ସା ସମୟରେ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି।

ଶିବପୁରୀର ମୁହାରୀଖୁର୍ଦ ଗାଁରେ ଦୁର୍ଗା ପୂଜା ପାଇଁ ଏକ ଭୋଜିର ଆୟୋଜନ ହୋଇଥିଲା ଯେଉଁଥିରେ ଆମନ୍ତ୍ରଣ ମିଳିଥିବାରୁ ୧୭ବର୍ଷ ବୟସ୍କା ଚାନ୍ଦିନୀ ଖାଇବାକୁ ଯାଇଥିଲେ। ଅଭିଯୋଗ ରହିଛି ଯେ ସେଠାରେ ପଣ୍ଡିତ ନାଥୁରାମ ଶାସ୍ତ୍ରୀ ତାଙ୍କୁ ଖାଇବାକୁ ଦେଇନଥିଲେ ଏବଂ ତାଙ୍କୁ ଖୁବ୍ ଅପମାନିତ କରିଥିଲେ। ଏହା ଦ୍ବାରା ଚାନ୍ଦିନୀଙ୍କୁ ଶକ୍ତ ଆଘାତ ଲାଗିଥିଲା । ସେ ଘରେ ଆସି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ପଡ଼ୋଶୀମାନେ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ବିଫଳ ହୋଇଥିଲେ।

ସୂଚନା ଅନୁଯାୟୀ, ମୃତ ଚାନ୍ଦିନୀଙ୍କ ଭାଇ ପାଖାପାଖି ୪ମାସ ତଳେ ନାଥୁରାମ ଶାସ୍ତ୍ରୀଙ୍କ ଗାଈକୁ ହତ୍ୟା କରିଥିଲେ। ଏହା ପରଠୁ ସେ ଚାନ୍ଦିନୀଙ୍କ ପରିବାର ପଛରେ ପଡ଼ିଥିଲେ ଏବଂ ତାଙ୍କୁ ସାମାଜିକ ବହିଷ୍କାର କରିବାକୁ ଲାଗିଥିଲା। ଚାନ୍ଦିନୀଙ୍କ ପରିବାର ଲୋକଙ୍କ କହିବା ମୁତାବକ ଗାଈର ମୃତ୍ୟୁ ପରେ ପଞ୍ଚାୟତ ଡକାଯାଇଥିଲା ଯାହାର ନିଷ୍ପତ୍ତି ଅନୁସାରେ ସେ ପୂଜା-ପାଠ,ଭୋଜି ଏବଂ ଗଙ୍ଗା ସ୍ନାନ ମଧ୍ୟ କରିଥିଲେ। ଏହା ପରେ ମଧ୍ୟ ଚାନ୍ଦିନୀଙ୍କୁ ଭୋଜିରୁ ଅପମାନ ଦେଇ ବାହାର କରି ଦିଆଯାଇଥିଲା ଏବଂ କୁହାଯାଇଥିଲା ଯେ ଅମଙ୍ଗଳିଆ ଲୋକଙ୍କୁ ଏଠାକୁ କିଏ ଆସିବାକୁ ଦେଲା?

ପରିବାର ଲୋକଙ୍କ କହିବା ଅନୁସାରେ ଭୋଜିରୁ ବାହାର କରି ଦିଆଯିବା ପରେ ଚାନ୍ଦିନୀ କାନ୍ଦି କାନ୍ଦି ଘରକୁ ଆସିଥିଲେ ଏବଂ ଉଦାସ ରହିଥିଲେ। ସେ ଘରେ ଚୁପଚାପ ବସି ରହିଥିଲେ। କେବଳ ଏତିକି ନୁହେଁ ତାଙ୍କ ବାପା ଗାଁର ଭାଗବତାଚାର୍ଯ୍ୟଙ୍କ ବିରୋଧରେ ୨୧ହଜାର ଟଙ୍କା ମାଗିବାର ଅଭିଯୋଗ ଲଗାଇଥିଲା। ସେ କହିଥିଲେ ଯେ ଟଙ୍କା ନ ଦେଲେ ଗାଁକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ ଧମକ ମିଳୁଥିଲା।

 ମୃତ ନାବାଳିକାଙ୍କ ବାପା କହିଥିଲେ ଯେ ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେହି ସମୟରେ ସେ କ୍ଷେତରେ କାମ କରୁଥିଲେ। ତାଙ୍କ ପରିବାରକୁ ନାଥୁରାମ ଶାସ୍ତ୍ରୀ ୪ମାସ ହେବ ହଇରାଣ କରି ଆସୁଥିଲା। ଏହି ଅତ୍ୟାଚାର ସହିନପାରି ତାଙ୍କ ଝିଅ ଆତ୍ମହତ୍ୟା କରି ଦେଲେ। ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.