ହାଥରସ,ବଳରାମପୁର ପରେ ଭଦୋହିରେ ଦଳିତ ଯୁବତୀଙ୍କ ପ୍ରତି ବର୍ବରତା, ମୁଣ୍ଡକୁ ଛେଚି ହତ୍ୟା, ଦୁଷ୍କର୍ମ ଆଶଙ୍କା

Published By : Prameya-News7 Bureau | October 01, 2020 IST

ଭଦୋହି ୦୧।୧୦: ଉତ୍ତର ପ୍ରଦେଶରେ ମହିଳାଙ୍କ ପ୍ରତି ବର୍ବରତାପୂର୍ଣ୍ଣ ଅପରାଧ ଥମିବାର ନାଁ ନେଉନାହିଁ। ସରକାରଙ୍କ ପକ୍ଷରୁ ଯେତେ ଦାବି କଲେ ମଧ୍ୟ ମହିଳାଙ୍କ ପ୍ରତି ଅପରାଧ ବଢିବାରେ ଲାଗିଛି। ହାଥରସ ଘଟଣାରେ ଲୋକଙ୍କ ଆକ୍ରୋଶ ନଥମୁଣୁ ଭଦୋହିରେ ଜଣେ ନାବାଳିକା ଦଳିତ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଝିଅର ମୁଣ୍ଡ ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଯୁବତୀଙ୍କ ପରିବାର ଲୋକ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ରାଜ୍ୟରେ ହାଥରସ ପରେ ବଳରାମପୁର, ଆଜମଗଢ ଓ ବୁଲନ୍ଦସହରରୁ ମହିଳାବିରୋଧୀ ଘଟଣା ସାମ୍ନାକୁ ଆସିଥିଲା।

ଏହି ଘଟଣା ଭଦୋହିର ଗୋପିଗଞ୍ଜ କୋତବାଲି ଅଞ୍ଚଳରେ ଘଟିଛି। ଚକରାଜାରାମ ତିଓ୍ଵାରୀପୁରୀ ଗାଁରେ ୧୪ ବର୍ଷୀୟ ନାବାଳିକା ଘରୁ ବାହାରି ନିକଟସ୍ଥ ଖେତକୁ ଶୌଚ ପାଇଁ ଯାଇଥିଲେ। ମାତ୍ର ସେ ଘରକୁ ଫେରିନଥିଲେ। ଦୀର୍ଘ ସମୟ ଧରି ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଯେତେବେଳେ ଖେତ ଆଡେ ଗଲେ, ଝିଅର ରକ୍ତ ଜୁଡୁବୁଡୁ ମୃତ ଶରୀର ପଡିଥିବା ଦେଖିବାକୁ ପାଇଲେ। ଝିଅର ମୁଣ୍ଡକୁ ଛେଚି ଅତି ନିର୍ମମଭାବେ ହତ୍ୟା କରାଯାଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ଦେଖିବାକୁ ମିଳିଛି।

ଘଟଣାର ସୂଚନା ମିଳିବାମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିଜନ ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଆଶଙ୍କା ପ୍ରକାଶ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ଛାନବିନ ଆରମ୍ଭ କରି ଦେଇଛି। ଫରେନ୍ସିକ ଟିମ୍ ଓ କ୍ରାଇମ ବ୍ରାଞ୍ଚର ଟିମ୍‌କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି।

ଭଦୋହି ପୋଲିସ ଅଧୀକ୍ଷକ ରାମ ବଦନ ସିଂହ କହିଛନ୍ତି ପୋଲିସ ଦୁଷ୍କର୍ମ ଓ ଅନ୍ୟ ଦିଗ ପ୍ରତି ଯାଞ୍ଚ କରୁଛି। ସେ କହିଛନ୍ତି ନାବାଳିକାଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି। ନାବାଳିକା  ସହିତ ଦୁଷ୍କର୍ମ ହୋଇଛି କି ନାହିଁ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ମାହୋଲ ରହିଛି। ପୋଲିସ ପ୍ରତି ପାଦ ଦେଖି ଚାହିଁ ତଦନ୍ତ କରୁଛି। କାରଣ ଏହା ପୂର୍ବରୁ ହାଥରସ, ବଳରାମପୁରରେ ମଧ୍ୟ ଦଳିତ ଯୁବତୀ ସହିତ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାଥରସରେ ବଳପୂର୍ବକ ପୀଡିତାଙ୍କ ଶବ ଜଳାଇ ଦେବା ଘଟଣା ୟୁପି ପୋଲିସ ଭାବ ମୂର୍ତ୍ତିକୁ ମଳିନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.