ପୋତା ଧନ ପାଇବା ଆଶାରେ ନାବାଳିକା ସହ ସଂପର୍କୀୟ ଭାଇ କରୁଥିଲା ଦୁଷ୍କର୍ମ, ସାହାର୍ଯ୍ୟ କରୁଥିଲେ ମା ଓ ଜେଜେ ମା

Published By : Prameya-News7 Bureau | December 06, 2018 IST

ଇନ୍ଦୋର ୬|୧୨:  ତନ୍ତ୍ର ମନ୍ତ୍ର ମାଧ୍ୟମରେ ପୋତା ଧନ ପାଇବା ଆଶାରେ ୧୪ବର୍ଷୀୟ ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କରିବା ସହ ତାକୁ ଅମାନବୀୟ ନିର୍ଯାତନା ଦିଆଯାଉଥିଲା । ଏଭଳି ଅଭିଯୋଗରେ ପୋଲିସ ଗୋଟିଏ ପରିବାରର ତିନି ସଦସ୍ୟଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି । ପୋଲିସର ସୂଚନା ଅନୁସାରେ ଅନ୍ଧ ବିଶ୍ବାସ ସହ ଜଡିତ ମାମଲାରେ ଅଜୟ ସୋନାନେ (୨୩), ତାଙ୍କ ମାଆ ସୁନୀତା ସୋନାନେ (୪୦) ଏବଂ ଜେଜେମା ଗୀତା ସୋନାନେ (୬୫) ଙ୍କୁ ଗିରଫ କରାଯାଇଛି । କିଛି ମାସ ମଧ୍ୟରେ ଅଜୟ ତନ୍ତ୍ର ମନ୍ତ୍ର ନାଁରେ ୧୪ବର୍ଷୀୟ ନାବାଳିକା ସହ ଅନେକ ଥର ଦୁଷ୍କର୍ମ କରିବା ସହ ଅମାନବୀୟ ନିର୍ଯାତନା ମଧ୍ୟ ଦେଉଥିଲେ । ସଂପୃକ୍ତ ଯୁବକଙ୍କ ମାଆ ଏବଂ ଜେଜେମାଆ ଏଭଳି ଜଘନ୍ୟ କାଣ୍ଡରେ ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିଲେ ।  ଦୁଷ୍କର୍ମ, ଧମକ ଦେବା ଏବଂ ଅନ୍ୟ ଅଭିଯୋଗ ସହ ଜଡିତ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରା ସହ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ଦାୟର କରିଛି ପୋଲିସ । ସୂଚନା ଅନୁସାରେ ପୀଡିତା ନାବାଳିକା ପାଦ ପଟେ ଜନ୍ମ ହୋଇଥିଲା । ଏକଥା ପଡୋଶୀ ଅଜୟଙ୍କ ପରିବାରକୁ ଜଣାଥିଲା । ଅଜୟ ଏବଂ ତାଙ୍କ ପରିବାର ପୀଡିତା ନାବାଳିକାଙ୍କ ପରିବାରକୁ ଏହା କହିଥିଲେ ଯେ, ପାଦ ପଟେ ଜନ୍ମ ହୋଇଥିବାରୁ ତନ୍ତ୍ର ମନ୍ତ୍ର କରି ତା ମାଧ୍ୟମରେ ପୋତା ଧନର ସନ୍ଧାନ କରାଯାଇପାରିବ । ନାବାଳିକାକୁ ତନ୍ତ୍ର ମନ୍ତ୍ର ନାଁରେ ନିଶା ଔଷଧ ସେବନ କରାଇ ଶ୍ମଶାନ ଏବଂ ଅନ୍ୟ ସ୍ଥାନକୁ ନେଇ ଅନେକ ଥର ଦୁଷ୍କର୍ମ କରାଯାଇଛି । ପୀଡିତାକୁ ଅଗରବତୀ ଚେଙ୍କ ଦିଆଯାଉଥିଲା ଏବଂ ଚାବୁକ ମାଧ୍ୟମରେ ମଧ୍ୟ ପିଟାଯାଉଥିଲା । ମୁଖ୍ୟ ଅଭିଯୁକ୍ତ ଅଜୟ ପୀଡିତାର ସଂପର୍କୀୟ ଭାଇ ଥିଲେ । ନାବାଳିକା ଜଣଙ୍କ ଅଜୟଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧୁଥିଲେ । ଏହିଭଳି ଅଜୟ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆତ୍ୟାଚାରରେ ଯେତେବେଳେ ପୀଡିତା ଅସୁସ୍ଥ ହୋଇଗଲେ ସେତେବେଳେ ମଧ୍ୟ ତାଙ୍କ ପରିବାରଲୋକଙ୍କର ଅନ୍ଧବିଶ୍ବାସ ଦୂର ହୋଇନଥିଲା । ବାରମ୍ବାର ନିଶା ଦେବା କାରଣରୁ ନାବାଳିକା ସବୁବେଳେ ଅନ୍ୟମନସ୍କ ରହୁଥିଲା । ଫଳରେ ପରିବାରଲୋକ ତାକୁ ଅନ୍ୟ ଜଣେ ତାନ୍ତ୍ରିକ ପାଖକୁ ନେଇଯାଇଥିଲେ । ତାନ୍ତ୍ରିକ ଜଣଙ୍କ ନାବାଳିକା ଦେହରେ ଭୂତ ପ୍ରେତର ସାୟା ଥିବା କହି ତାଙ୍କୁ ଜଞ୍ଜିରରେ ବାନ୍ଧି ଦେଇଥିଲେ । ନାବାଳିକାକୁ ପରେ ସେହି ଜଞ୍ଜିରରୁ ମୁକ୍ତ କରାଯାଇଥିଲା । ତାପରେ ନାବାଳିକା ଜଣକ ସବୁକଥା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.