ନାବାଳକର ଉନ୍ମତ୍ତ କାଣ୍ଡ : ମୋବାଇଲ୍ ନେବାକୁ ବାରଣ କରିବାରୁ ମହିଳାଙ୍କୁ ଗଳାକାଟି କଲା ହତ୍ୟା

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨/୬: ଦିଲ୍ଲୀର ପ୍ରଶାନ୍ତ ବିହାର ପୋଲିସ୍ ମହିଳାଙ୍କ ହତ୍ୟା ମାମଲାରେ ଜଣେ ନାବାଳକଙ୍କୁ ଗିରଫ କରିଛି। ଅଭଯୁକ୍ତ ନାବାଳକ ମହିଳାଙ୍କ ପୁଅଙ୍କ ବନ୍ଧୁ। ପ୍ରାଥମିକ ତଦନ୍ତରେ ଜଣା ପଡ଼ିଛି ଯେ ମୋବାଇଲ୍ ଚୋରି କରୁଥିବାବେଳେ ଧରା ପଡ଼ିବାରୁ ନାବାଳକ ଏହି ହତ୍ୟାକାଣ୍ଡ ଭିଆଇଥିଲା। ତଦନ୍ତ ସମୟରେ ଏହି କଥା ସାମନାକୁ ଆସିଛି ଯେ ନାବାଳକ ପବଜୀ ଖେଳ ଖେଳିବାକୁ ପସନ୍ଦ କରେ। ସେ ନିଶା ସେବନ ମଧ୍ୟ କରେ। ବନ୍ଧୁଙ୍କ ସହ ନିଶା ସେବନ କରିବାବେଳେ ସେ ପବଜୀ ଗେମ୍ ଖେଳୁଥିଲା। ମହିଳା ତାକୁ ମୋବାଇଲ୍ ନେବାକୁ ବିରୋଧ କରିବାରୁ ସେ ମହିଳାଙ୍କୁ ହତ୍ୟା କରିଥିଲା।

 ସୂଚନା ଅନୁଯାୟୀ, ୪୫ବର୍ଷ ବୟସ୍କା ସୋନିଆ ନିଜ ୧୬ବର୍ଷ ବୟସ୍କ ପୁଅ ସହ ରଜାପୁର ଗାଁରେ ରହୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ପୁଅ ଖେଳିସାରି ଘରକୁ ଫେରିବାରୁ ମାଆଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିଥିଲେ। ତୁରନ୍ତ ପୋଲିସକୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ମହିଳାଙ୍କ ସ୍ବାମୀ ମଦନ ଲାଲଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରାଯାଇ ସ୍ବତନ୍ତ୍ର ପୋଲିସ୍ ଟିମ୍ ଗଠନ କରାଯାଇଥିଲା।

ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯିବା ପରେ ସୋନିଆଙ୍କ ପୁଅଙ୍କ ସାଙ୍ଗ ନଜର ଆସିଥିଲା। ସେ ଘଟଣା ସମୟରେ ଘରକୁ ଯାଇଥିଲା। ତଦନ୍ତରୁ ଜଣା ପଡ଼ିଥିଲା ଯେ ଘରୁ ସୋନିଆଙ୍କ ପୁଅଙ୍କ ମୋବାଇଲ୍ ଗାୟବ ହୋଇଛି। ଶନିବାର ମୋବାଇଲରେ ଅନ୍ୟ ସିମ୍ ଲଗାଇ ଚାଲୁ କରାଯିବାରୁ ପୋଲିସକୁ ଆଉ ଏକ ତଥ୍ୟ ମିଳିଥିଲା।

ତଦନ୍ତରୁ ଜଣା ପଡ଼ିଥିଲା ଯେ ମୋବାଇଲକୁ ନାବାଳକ ଉଠା ଦୋକାନୀଙ୍କୁ ସାଢ଼େ ୩ହଜାର ଟଙ୍କା​ରେ ବିକିଥିଲା। ଫୁଟେଜ ଦେଖି ସେହି ନାବାଳକଠୁ ମୋବାଇଲ କିଣିଥିବା କଥା ଉଠା ଦୋକାନୀ କହିଥିଲେ। ସୂଚନା ପରେ ପୋଲିସ୍ ନାବାଳକ ହତ୍ୟାରେ ବ୍ୟବହାର କରିଥିବା ଛୁରୀ ସହ ତାକୁ ଗିରଫ କରିଥିଲା।

ପୋଲିସକୁ ତଦନ୍ତ କରିବା ସମୟରେ ଜଣା ପଡ଼ିଥିଲା ଯେ ନାବାଳକ ମହିଳାଙ୍କ ପୁଅର ସାଙ୍ଗ ଥିଲା। ସେ ପ୍ରାୟ ତାଙ୍କ ଘରକୁ ଯାଉଥିଲା। ଶୁକ୍ରବାର ସନ୍ଧ୍ୟାରେ ସୋନିୟା ଖଟ​‌ରେ ଶୋଇ କମେଡ଼ି ଶୋ ଦେଖୁଥିବାବେଳେ ନାବାଳକ ନିଶା ସେବନ କରି ତାଙ୍କ ଘରେ ପହଞ୍ଚିଥିଲା। ସେ ମଧ୍ୟ ଟିଭି ଦେଖିବାକୁ ଲାଗିଥିଲା। ସୁଯୋଗ ଦେଖି ସେ ମୋବାଇଲଟି ନେଇ ଯାଉଥିଲା। ମହିଳା ବିରୋଧ କରିବାରୁ ଅଭିଯୁକ୍ତ ନାବାଳକ ସୋନିଆଙ୍କୁ ଛୁରୀରେ ଗଳା କାଟିଦେଇଥିଲେ। ସେ ମୋବାଇଲର ପାସଓ୍ବାର୍ଡ଼ ଜାଣିଥିଲା,ଏଥିପାଇଁ ଏହାକୁ ବଦଳି ଉଠା ଦୋକାନୀକୁ ବିକି ଦେଇଥିଲା ଏବଂ କିଛି ଟଙ୍କା ନିଜ ପରିବାର ଲୋକଙ୍କୁ ଦେଇ ଦେଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.