ବାପା ଜେଲରେ, ମାଆ ଛାଡି ଚାଲିଯାଇଛି ; ଫୁଟପାଥ୍ରେ କୁକୁର ସହ ଶୋଉଛି ନାବାଳକ
17/12/2020 at 11:18 AM

ଲକ୍ଷ୍ନୌ,୧୭/୧୨: ଉତ୍ତର ପ୍ରଦେଶର ଜନପଦ ମୁଜଫରନଗରରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଏକ ଶିଶୁ ଫୁଟପାଥରେ କୁକୁର ସହ ଶୋଇଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଉଠାଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଫଟୋ ଭାଇରାଲ ହେବା ପରେ ଜନପଦ ସରକାରର କୂମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି । ଏହାସହ ପୋଲିସ ମଧ୍ୟ ଶିଶୁଟିର ସନ୍ଧାନ କରିଛି । ଶିଶୁଟିକୁ ଏପରି ଭାବେ ରାସ୍ତାକଡରେ ଶୋଇବାର କାରଣ ପଚାରିବାକୁ ସବୁ କଥା ସାମ୍ନାକୁ ଆସିଥିଲା । ଯାହା ଶୁଣିବା ପରେ ଯାହାର ହେଲେବି ଆଖିରୁ ଲୋତକ ଝରି ଆସିବ ।

୯ ବର୍ଷର ଶିଶୁଟି କହିଛି ଯେ, ତାର ବାପା ଜେଲରେ କଏଦୀ ହୋଇ ବନ୍ଦୀ ରହିଛନ୍ତି । ମାଆ ତାକୁ ଏକାକି କରି ଛାଡି ଚାଲିଯାଇଛି । ଏହା ବ୍ୟତୀତ ନାବାଳକଟି ନିଜର ପରିବାର କିମ୍ବା ଘର ବାବଦରେ ଆଉ ବେଶୀ କିଛି ଜାଣିନାହିଁ । ନାବାଳକଟି ଏକ ଚା ଦୋକାନରେ କାମ ରପେ ଓ ସେହି ରୋଜଗାରରେ ଚଳିଥାଏ ।
ଆହୁରି ମଧ୍ୟ ନାବାଳକଟିର ଏକ ପୋଷା କୁକୁର ରହିଛି । ଯାହା ସହ ସେ ରହିଥାଏ । ଏପରିକି ଏତେ ଶୀତ ରାତିରେ ସେ ଦୋକାନ ସାମ୍ନାରେ ନିଜ ପୋଷା କୁକୁର ସହ ଶୋଇଯାଏ ।
ନାବାଳକଟିର ଫଟୋ ଭାଇରାଲ ହେବା ପରେ ଜନପଦ ଏସଏସପି ଅଭିଷେକ ଯାଦବ ଶିଶୁଟିର ସନ୍ଧାନ ଆରମ୍ଭ କରିଦେଇଥିଲେ ।ଏବେ ନାବାଳକକୁ ଶିଶୁ କଲ୍ୟାଣ ଅଧିକାରୀଙ୍କୁ ହସ୍ତଗତ କରାଯାଇଛି । ଏହାସହ ଜିଲ୍ଲା ପ୍ରଶାସନ ଶିଶୁଟି ପାଇଁ ପାଠପଢାର ବନ୍ଦୋବସ୍ତ ମଧ୍ୟ କରିଛି ।