ବାରଙ୍ଗର ନାବାଳକ ଜଳୀସାହିରୁ ଉଦ୍ଧାର, କହିଲା ‘ନିଜ ଇଚ୍ଛାରେ ଆସିଥିଲି’

Published By : Prameya-News7 Bureau | December 19, 2020 IST

ବାରଙ୍ଗ ୧୯।୧୨: ଉଦ୍ଧାର ହେଲେ ନିଖୋଜ ନାବାଳକ । ଗତ ୧୫ତାରିଖରେ ବାରଙ୍ଗ ଥାନା ଗୁଆକୋଳି ଗାଁରୁ ନାବାଳକ ସିପୁନ ବେଶ୍ରା ନିଖୋଜ ହୋଇଥିଲେ । ନାବାଳକଙ୍କୁ ଭୁବନେଶ୍ବର ଜଳୀସାହିରୁ ଉଦ୍ଧାର କଲେ ଗୋଡିସାହି ଫାଣ୍ଡି ଅଧିକାରୀ ।

ସୂଚନାଯୋଗ୍ୟ ଯେ, ଗତ ୧୫ତାରିଖରେ କେଉଁଆଡେ ଚାଲିଯାଇଥିଲା ସିପୁନ । ପରିବାରଲୋକ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଫଳରେ ଗତ ୧୭ତାରିଖରେ ନାବାଳକଙ୍କ ମା’ ଗୋଡିସାହି ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି କଟକ ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲା ପୋଲିସ । ଶନିବାର ସକାଳେ ରଘୁନାଥପୁର ଜଳୀସାହିରୁ ନିଖୋଜ ପିଲାଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହେବା ପରେ ସେ ନିଜ ଇଚ୍ଛାରେ ଏଠାକୁ ଆସିଥିବା କହିଥିଲା । ନାବାଳକକୁ ସାହିର କିଛି ଲୋକେ ଖାଇବା-ପିଇବା ପାଇଁ ଦେଉଥିଲେ । ଅନ୍ୟ ଛୁଆଙ୍କ ସହ ମିଶି ରହୁଥିଲା ବୋଲି ଜଳିସାହି ବାସିନ୍ଦା କହିଛନ୍ତି ।

ରାଜ୍ୟରେ ଏବେ ଶିଶୁ ନିଖୋଜ ଘଟଣା ନିତିଦିନିଆ ହୋଇଗଲାଣି । ପ୍ରତିଦିନ ଶିଶୁ ନିଖୋଜ ହେବା ଘଟଣା ଶୁଣିବାକୁ ମିଳୁଛି । ଫଳରେ ଶିଶୁମାନଙ୍କର ବାପା-ମା’ ଏବେ ଚିନ୍ତାରେ ପଡିଛନ୍ତି । ଶିଶୁ ନିଖୋଜ ପରେ ମୃତଦେହ ମିଳିବା ଘଟଣା ବେଶୀ ଆତଙ୍କିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.