ଫେକ୍ ସୋସିଆଲ୍ ମିଡିଆ ଆକାଉଣ୍ଟ ଖୋଲି ଟଙ୍କା ଠକେଇ ଅଭିଯୋଗ, ନାବାଳକକୁ ହେପାଜତକୁ ନେଲା ପୋଲିସ

Published By : Prameya-News7 Bureau | June 13, 2019 IST

ସମ୍ବଲପୁର ୧୩|୬: ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ମନ୍ତ୍ରୀଙ୍କ ନାଁରେ ଟଙ୍କା ଠକେଇ କରୁଥିବା ନାବାଳକକୁ ହେପାଜତକୁ ନେଲା ପୋଲିସ । ସମ୍ବଲପୁର ଟାଉନଥାନା, ବଲାଙ୍ଗୀର ଟାଉନ ଥାନା ସମେତ ୪ଟି ଥାନାରେ ଅଭିଯୁକ୍ତ ଅଷ୍ଟମ ଶ୍ରେଣୀ ଛାତ୍ର ନାଁରେ ମାମଲା ରୁଜୁ ହୋଇଛି । ମନ୍ତ୍ରୀ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ନାଁରେ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ସେଥିରୁ ଠିକାଦାରଙ୍କୁ ଧମକାଉଥିଲା । ମଦ ମାଫିଆ, ଠିକାଦାର ଏବଂ ପଥର ଖଣି ମାଲିକଙ୍କଠାରୁ ଟଙ୍କା ଆଦାୟ କରୁଥିଲା ନାବାଳକ ଅଭିଯୁକ୍ତ । ଏଥିଲାଗି ଅତି ଚତୁରତାର ସହ ହ୍ବାଟସ ଆପ୍ ଏବଂ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରୁଥିଲା । ମନ୍ତ୍ରୀ ନବ ଦାସ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ନାଁରେ ଠକେଇ କରୁଥିଲା ଅଭିଯୁକ୍ତ ନାବାଳକ । ଏନେଇ ସମ୍ବଲପୁର ସାଇବର କ୍ରାଇମ ଥାନାରେ ମାମଲା ରୁଜୁ ହୋଇଥିଲା । ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହାଙ୍କୁ ଜଣେ ଅଧିକାରୀଙ୍କ ନାଁରେ ଚାନ୍ଦା ମାଗିବା ବେଳେ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ସତ୍ୟା ସତ୍ୟ ଜାଣିବା ପାଇଁ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ସିଦ୍ଧାର୍ଥ ପୋଲିସ ସହାୟତାରେ ଏକ ହଜାର ଟଙ୍କା ଜମା କରିଥିଲେ । ବ୍ୟାଙ୍କରୁ ସେହି ଆକାଉଣ୍ଟର ସମସ୍ତ ତଥ୍ୟ ମିଳିବା ପରେ ପୋଲିସ ଅଭିଯୁକ୍ତର ଘରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ମୋବାଇଲରୁ ଯେଉଁ ତଥ୍ୟ ମିଳିଥିଲା ତାହା ପୋଲିସ ମଧ୍ୟ ବିଶ୍ବାସ କରି ପାରିନଥିଲା । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୪୧୯, ୪୨୦ରେ ମାମଲା ରୁଜୁ ହୋଇଛି । ପୁରୀ ଘଟଣାରେ ସାଇବର ପେଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.