ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ,ରାଉରକେଲା ଏସ୍ପିଙ୍କୁ ନୋଟିସ୍ କଲେ ରାଜ୍ୟ ମାନବାଧିକାର କମିଶନ
5/01/2021 at 8:03 AM

ରାଉରକେଲା ୦୫।୦୧: ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା । ଏନେଇ ରାଉରକେଲା ଏସ୍ପି ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଜାରି କରିଛନ୍ତି ରାଜ୍ୟ ମାନବଧିକାର କମିଶନ । ଏକ ମୋବାଇଲ ଚୋରି ଅଭିଯୋଗରେ ଉଦିତ ନଗର ଥାନାକୁ ଆଣି ରାତି ସାରା ରଖି ଦିଆଯାଇଥିଲା ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଖବର ଅନୁଯାୟୀ, ରାଉରକେଲା ଉଦିତ ନଗର ପୋଲିସ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ମୋବାଇଲ ଚୋରି ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ୧୩ ବର୍ଷର ନାବାଳକକୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି । ଏମିତି କି ବୁଟରେ ମାଡ଼ ମାରିବା ସହ ଉଲଗ୍ନ କରି ଇଲେକ୍ଟ୍ରି ସକ୍ ଦିଆଯାଇଥିବା ନାବାଳକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାରା ରାତି ଥାନାରେ ରଖି ଅମାନୁଷିକ ଭାବେ ମାଡ ମାରିବା ପରେ ନାବାଳକକୁ ଛାଡି ଦେଇଥିଲା ପୋଲିସ। ଏ ବିଷୟରେ କାହାକୁ ନ କହିବାକୁ ଧମକ ଦେଇଥିଲେ ।

କିଛି ଦିନ ଚୁପ ଚାପ୍ ରହିବା ପରେ ନାବାଳକ ଜଣଙ୍କ ଜେଜେ ମାଆ ସମ୍ମୁଖରେ ସବୁ କହିଥିଲା । ଏବେ ନ୍ୟାୟ ପାଇଁ ଦାବି କରିଛନ୍ତି ନାବାଳକଙ୍କ ପରିବାର ଲୋକେ । ପ୍ରଶ୍ନ ଉଠୁଛି, ଯଦି ନାବାଳକ ମୋବାଇଲ ଚୋରି କରିଥିଲା । ଆଉ ପୋଲିସ ନାବାଳକ ଠାରୁ ମୋବାଇଲ ଜବତ କଲା ତାହେଲେ ନାବାଳକ ବିରୋଧରେ ପୋଲିସ କାହିଁକି ମାମଲା ରୁଜୁ କରି ସୁଧାର ଗୃହକୁ ପଠାଇଲା ନାହିଁ । ଯାହାକୁ ନେଇ ଉଦିତ ନଗର ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ତେବେ ଜିଲ୍ଲା ଚାଇଲ୍ଡ ଲାଇନ, ସିଡବ୍ଲୁସି ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି ।