ଚୋରି କରିବା ବେଳେ ନାବାଳକ ଧରାପଡିଲେ, ବାନ୍ଧି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
13/01/2021 at 1:33 PM

ଭୁବନେଶ୍ବର ୧୩।୧: ଚୋରି କରୁଥିବାବେଳେ ଧରାପଡ଼ିଲେ ଓ ନିର୍ଧୁମ ଛେଚା ଖାଇଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ନୟାପଲ୍ଲୀ ଥାନା ଅନ୍ତର୍ଗତ କ୍ରାଉନ ହୋଟେଲ ନିକଟରେ ।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ଏକ ପାନ ଦୋକାନରୁ କଳାକନା ବୁଲାଉଥିବା ବେଳେ ସ୍ଥାନୀୟ ଲୋକେ ଜଣଙ୍କୁ କାବୁ କରିବା ସହ ଅଭିଯୁକ୍ତକୁ ବାନ୍ଧି ଦୋକାନ ମାଲିକଙ୍କୁ ଖବର ଦେଇଥିଲେ । ପରେ ଦୋକାନୀ ଆସି ଦେଖିବା ବେଳକୁ ତାଙ୍କ ଦୋକାନ କ୍ୟାବିନ୍ ତାଲା ଭଙ୍ଗାଯାଇ ୪୫ ପ୍ୟାକେଟ୍ ସିଗାରେଟ୍, ୨୭ ହଜାର ଟଙ୍କା ଚୋରି ହୋଇଥିଲା । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି ।
ତେବେ ଏହି ଜଣେ ନୁହେଁ ବରଂ ମୋଟ୍ ୫ ଜଣ ପିଲା ଏହି ଚୋରିରେ ସମ୍ପୃକ୍ତ ଥିଲେ । ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି । ସମସ୍ତଙ୍କ ଘର ସାଲିଆ ସାହି ଓ ସମସ୍ତେ ନାବାଳକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ବନ୍ଧାହୋଇଥିବା ଅଭିଯୁକ୍ତ ନାବାଳକକୁ ଉଦ୍ଧାର କରିଛି ।