କନ୍ନଡ ଚଳଚ୍ଚିତ୍ର ଦେଖି ନିଜେ ନିଜକୁ ଅପହରଣ କରି ବାପାମାଆଙ୍କୁ ଟଙ୍କା ମାଗୁଥିଲା ନାବାଳକ : ତିରୁପତିରୁ କାବୁ କଲା ପୋଲିସ

Published By : Prameya-News7 Bureau | November 11, 2020 IST

ବେଙ୍ଗାଲୁରୁ ୧୧/୧୧ : ଅନେକ ସମୟରେ ଆମେ କିଛି ନୂଆ ଶିଖିବା, ନୂଆ କିଛି କରିବା ପାଇଁ ଚେଷ୍ଟା କରୁ । ସେଥିପାଇଁ ବିଭିନ୍ନ ସମୟରେ ଆମେ କୌଣସି ଶିକ୍ଷଣୀୟ ଫିଲ୍ମ ହେଉ କିମ୍ବା ଓ୍ବେବ ସିରିଜ୍ ଦେଖିଥାନ୍ତି । କିନ୍ତୁ ଅନେକ ସମୟରେ ଏହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳେ । ସେହିଭଳି ବେଙ୍ଗାଲୁରୁର କନକପୁର ଅଞ୍ଚଳରେ ଆଶ୍ଚର୍ଯ୍ୟ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୬ ବର୍ଷର ନାବାଳକ ନିଜେ ନିଜକୁ ଅପହରଣ କରିବା ପରେ ନିଜ ପିତାଙ୍କୁ ଟଙ୍କା ମାଗିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ନାବାଳକ ଜଣକ କୌଣସି ଏକ କନ୍ନଡ ଚଳଚ୍ଚିତ୍ର ଦେଖିଥିଲା । ପରେ ନିଜେ ମଧ୍ୟ ସେହିଭଳି ନିଜକୁ ଅପହରଣ କରି ପିତାମାତାଙ୍କୁ ଟଙ୍କା ମାଗିବାକୁ ଯୋଜାନା କରିଥିଲା । ତେବେ ନାବାଳକ ଜଣକ ପ୍ରଥମେ ଏକ ବାଇକରେ ଘରୁ ବାହାରିଯାଇଥିଲା ।  ଯିବାବେଳେ ସାଙ୍ଗରେ କେତୋଟି ଫଟୋ ମଧ୍ୟ ନେଇଥିଲା । ବେଙ୍ଗାଲୁରୁରେ ପହଞ୍ଚିବା ପରେ ନୟନଦହଲ୍ଲି ମେଟ୍ରୋ ଷ୍ଟେସନରେ ଗାଡି ରଖି ଟ୍ରେନ ଯୋଗେ ତିରୁପତି ପଳାଇଥିଲା । ସେଠାରେ ପହଞ୍ଚି ଏକ ଲଜରେ ରହିଥିଲା ନାବାଳକ ଜଣକ । ସେପଟେ ପୁଅକୁ ବହୁତ ଖୋଜାଖୋଜି ପରେ ନପାଇବାରୁ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ ନାବାଳକର ପରିବାର ଲୋକ ।

ତେବେ ଶନିବାର ସକାଳୁ ନାବାଳକର ପିତାଙ୍କ ମୋବାଇଲକୁ ହ୍ବାଟସଆପ ମାଧ୍ୟମରେ ଏକ ଅଜଣା ନମ୍ବରରୁ ଗୋଟିଏ ଫଟୋ ଆସିଥିଲା ଯାହକି ତାଙ୍କ ନିଖୋଜ ପୁଅର ଫଟୋ ଥିଲା । ଯେଉଁଥିରେ ପୁଅର ଅର୍ଦ୍ଧ ଫୁଙ୍ଗୁଳା ଦେହ ଏବଂ ହାତ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ ନାବାଳକର ପିତା । ତାସହିତ ଏକ ମେସେଜ ମଧ୍ୟ ଆସିଥିଲା ଯେଉଁଥିରେ ପୁଅକୁ ଛାଡିବାକୁ ୫ ଲକ୍ଷ ଟଙ୍କା ଦାବି କରିଥିଲା ଅପହାରଣକାରୀ ।

ଏ ବାବଦରେ ପରିବାର ଲୋକ ପୋଲିସକୁ ଜଣାଇବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଉକ୍ତ ନମ୍ବରକୁ ଟ୍ରେସ କରି ପୋଲିସ ଜାଣିବାକୁ ପାଇଥିଲା ଯେ ନମ୍ବରଟି ତିରୁପତିର ଏକ ଲଜରେ ଆକ୍ଟିଭ ଅଛି । ତୁରନ୍ତ ପୋଲିସର ଗୋଟିଏ ଟିମ ତିରୁପତି ଯାଇଥିଲେ । ସେଠାରେ ଯାଇ ଦେଖିବାକୁ ପାଇଥିଲେ ଯେ ନାବାଳକ ଜଣକ ନିଜେ ଏସବୁ କରିଥିଲା । ସେଠାରୁ ନାବାଳକକୁ ଗିରଫ କରି ବେଙ୍ଗାଲୁରୁ ଆଣିଥିଲା ପୋଲିସ । ପଚରାଉଚରା ବେଳେ ନାବାଳକ ମାନିଛି ଯେ ଟଙ୍କା ପାଇଁ ସେ ଏମିତି କରିଥିଲା । ସ୍କୁଲ ବନ୍ଦ ଅଛି ଏବଂ ନାବାଳକର ପିତାମାତା ଘରେ ପାଠ ପଢିବାକୁ ନାବାଳକକୁ ବାଧ୍ୟ କରିବାରୁ ସେ ଏପରି ଚରମ ପଦକ୍ଷେପ ନେଇଥିଲା ବୋଲି ପୋଲିସ କହିଛି । ନାବାଳକ ଜଣକ କନ୍ନଡ ଚଳଚ୍ଚିତ୍ର “ ଅପରେସନ ଅଲମେଲ୍ଲାମା” ଦେଖି ଏପରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.