ବୟସ ମାତ୍ର ୧୩, କିନ୍ତୁ ଘଟାଇଛି ଜଘନ୍ୟ ଅପରାଧ: ୮ ବର୍ଷ ବାଳକର ହତ୍ୟା ମାମଲାରେ ଆସିଲା ଭୟଙ୍କର ତଥ୍ୟ, ଜାଣିଲେ ଲୋମ ଟାଙ୍କୁରି ଉଠିବ
21/06/2020 at 1:03 PM

କରଞ୍ଜିଆ ୨୧।୬: କରଞ୍ଜିଆରେ ନାବାଳକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ହତ୍ୟାକାରୀ ନାବାଳକକୁ ଗିରଫ କରିଛି ପୋଲିସ । ଅପ୍ରାକୃତିକ ଯୌନ ସଂପର୍କ ରଖି ସାରିବା ପରେ ପଥରରେ ଛେଚି ନାବାଳକଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ କରଞ୍ଜିଆ ଥାନା ଘୋଡାଘାଗୁରୀ ଗାଁ ନାଳ ନିକଟରେ ଥିବା ଏକ ବୁଦା ମୂଳରୁ ୮ ବର୍ଷର ନାବାଳକର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । କରଞ୍ଜିଆ ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିଲା । ଆଜି କରଞ୍ଜିଆ ଥାନା ପୋଲିସ କୌଣସି ସୂତ୍ରରୁ ହତ୍ୟାକାରୀର ଖବର ପାଇ ଝାଡଡୁଙ୍ଗୁରି ଗାଁର ୧୩ ବର୍ଷର ନାବାଳକଙ୍କୁ ଗିରଫ କରିଛି । ଥାନାକୁ ଆଣି ପଚରାଉଚରା କଲାପରେ ହତ୍ୟାକାରୀ ନାବାଳକର ବୟାନ ଶୁଣି ପୋଲିସ ସ୍ତବ୍ଧ ହୋଇଯାଇଥିଲା ।

ଅଭିଯୁକ୍ତ ନାବାଳକ କହିଥିଲା ଯେ, ଗତ ମଙ୍ଗଳବାର ଦିନ ସେମାନେ ଗାଁ ନିକଟସ୍ଥ ଏକ ନାଳକୁ ଯାଇଥିଲେ । ସେ ସଂପୃକ୍ତ ୮ ବର୍ଷର ନାବାଳକକୁ ପାଖରେ ଥିବା ଏକ ବୁଦା ମୂଳକୁ ନେଇ ତା ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା । ସେ କାଳେ ଗାଁ ଲୋକଙ୍କୁ ଜଣାଇଦେବ ସେହି ଭୟରେ ପଥର ଦ୍ବାରା ତା ମୁଣ୍ଡକୁ ଛେଚି ହତ୍ୟାକରିଥିଲା । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ପୋଲିସ ଅଭିଯୁକ୍ତର ବୟାନ ରେକର୍ଡ କରି କରଞ୍ଜିଆ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରିସାରିଲା ପରେ ଅଭିଯୁକ୍ତ ନାବାଳକକୁ ବାରିପଦା ଜୁଭେନାଲ ଜଷ୍ଟିସ ବୋର୍ଡକୁ ପଠାଇ ଦେଇଛି । ତେବେ ମୃତ ୮ ବର୍ଷର ନାବାଳକର ଘର ମଧ୍ୟ ସେହି ଝାଡ଼ଡୁଙ୍ଗୁରି ଗାଁରେ ବୋଲି ଜଣାପଡିଛି ।