ନାବାଳିକାଙ୍କୁ ଅପହରଣ ପରେ ଜଙ୍ଗଲରେ ଦୁଷ୍କର୍ମ, ପୀଡିତାଙ୍କ ପିତାଙ୍କୁ ଜୀବନରୁ ମାରିଦେବାକୁ ଧମକ

Published By : Prameya-News7 Bureau | July 11, 2021 IST

ରାମଗଡ ୧୧/୦୭ : ରାଜସ୍ଥାନର ଅଲଓ୍ବର ଜିଲ୍ଲାର ରାମଗଡ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳିକା ଜଣକ ଘର ନିକଟରୁ କିଛି ଦୂରକୁ ପାଣିଆଣିବାକୁ ଯାଇଥିବା ବେଳେ ୪ ଜଣ ଦୁବୃର୍ତ୍ତ ଜୋର ଜବରଦସ୍ତ ଅପହରଣ କରି ସ୍ଥାନୀୟ କିଶନଗଡକୁ ନେଇ ଯାଇଥିଲେ । ସେଠାରେ ଏକ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ କରିବା ପରେ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ ।

ତେବେ ଫେରାର ବେଳେ ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ଗ୍ରାମବାସୀ ଏବଂ ୪ର୍ଥ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ନାବାଳିକାଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ଥାନାରେ ମାମଲା ରୁଜୁ ନକରିବା ପାଇଁ ଅଭିଯୁକ୍ତମାନେ ଧମକ ଦେବା ସହିତ ଜୀବନରୁ ମାରିଦେବାକୁ ମଧ୍ୟ ଚେତାବନୀ ଦେଉଛନ୍ତି । କିନ୍ତୁ ଚାପରେ ଥାଇ ମଧ୍ୟ ପୀଡିତାଙ୍କ ପିତା ରାମଗଡ ଥାନାରେ ମାମଲା ରୁଜୁ କରିଛନ୍ତି । ଉକ୍ତ ଥାନା ଅଞ୍ଚଳରେ ସପ୍ତାହେ ମଧ୍ୟରେ ଏହା ଦ୍ବିତୀୟ ଦୁଷ୍କର୍ମ ଘଟଣା ।

ସୂଚନା ମୁତାବକ, ପୀଡିତା ଜଣକ ପାଣି ଆଣିବାକୁ ଯାଇଥିବା ବେଳେ ୪ ଜଣ ତାଙ୍କୁ ଉଠାଇ ନେଇଥିଲେ । ସେଠାରୁ କିଶନଗଡ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ପୀଡିତାଙ୍କ ମୋବାଇଲରୁ ତାଙ୍କ ପିତାଙ୍କୁ ଫୋନ କରି ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ଏକା ଆସିବା ପାଇଁ କହିଥିଲେ । ପୀଡିତାଙ୍କ ପିତା ସେଠାକୁ ଆସିବା ପରେ ସେମାନେ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇଥିଲେ ଏବଂ କାହାକୁ କହିଲେ ଜୀବନରୁ ମାରିଦେବାକୁ ଦମକ ଦେଇଥିଲେ ।

ପୀଡିତା ନାବାଳିକା ପୋଲିସକୁ ନିଜ ବୟାନରେ କହିଛନ୍ତି ଯେ, ୩ ଜଣ ଅଭିଯୁକ୍ତ ସାଜିଦ ତରବୀ, ରଫିକ୍ ଏବଂ ମୁସ୍ତାକ୍ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଘଟଣା ପରେ ୩ ଜଣ ଅଭିଯୁକ୍ତଙ୍କୁ ଗ୍ରାମବାସୀଙ୍କ ଦ୍ବାରା କାବୁ କରାଯାଇଥିଲେ ସୁଦ୍ଧା ଆଉ ଜରେ ଫେରାର ହୋଇଯାଇଛି । ଘଟଣାକୁ ନେଇ ରାମଗଡ ଡିଏସ୍‌ପି ଓମପ୍ରକାଶ ମିଣା କହିଛନ୍ତି, ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ପୀଡିତାଙ୍କ ମେଡିକାଲ ଯାଞ୍ଚ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.