ବଦଳିଲା ଜାହାଜରାଣୀ ମନ୍ତ୍ରାଳୟଙ୍କ ନାମ, ଏବେ ନୂଆନାମ ହେଲା ମିନିଷ୍ଟ୍ରି ଅଫ ପୋର୍ଟ

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେନ୍ଦ୍ର  ଜାହାଜରାଣୀ ମନ୍ତ୍ରାଳୟ ନାମ ବଦଳାଇ ଦେଇଛନ୍ତି। ଏହାକୁ ମିନିଷ୍ଟ୍ରି ଅଫ ପୋର୍ଟ, ସିପିଙ୍ଗ ଏଣ୍ଡ ୱାଟରୱେ ମନ୍ତ୍ରାଳୟ ନାମରେ ନାମିତ କରିଛନ୍ତି। କିଛି ଦିନ ପୂର୍ବରୁ ମନ୍ତ୍ରାଳୟ ନାମ ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିଜେ ସୂଚନା ଦେଇଥିଲେ। ସେହି ଅନୁସାରେ ମନ୍ତ୍ରାଳୟଙ୍କ ନୂଆ ନାମକରଣ କରାଯାଇଛି।

ଏ ନେଇ କ୍ୟାବିନେଟ ସେକ୍ରେଟାରିଏଟ୍ ଜାରି କରିଥିବା ନିର୍ଦ୍ଦେଶାନୁସାରେ ସାମୁଦ୍ରିକ ପରିବହନ ଓ ନେଭିଗେସନ, ସାମୁଦ୍ରିକ  ବାଣିଜ୍ୟ ଲାଗି ଶିକ୍ଷା ଓ ପ୍ରଶିକ୍ଷଣ, ଆଲୋକବର୍ତ୍ତିକା ଓ ହାଲୁକା ଜାହାଜ, ବନ୍ଦର ପ୍ରଶାସନ, ଅନ୍ତର୍ଦେଶୀୟ ଓ ଅନ୍ତର୍ଜାତିକ ଯାତ୍ରୀ ଏବଂ ସାମଗ୍ରୀ ଆଦି ପରିବହନ ଏହି ମନ୍ତ୍ରାଳୟଙ୍କ ଅନ୍ତର୍ଗତ ରହିବେ। ଏ ନେଇ ଜାରି ବିଜ୍ଞପ୍ତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷର କରିଥିବା ବେଳେ  ସମ୍ବିଧାନର ଧାରା ୭୭ର(୩) ଧାରାରେ ଦିଆଯାଇଥିବା କ୍ଷମତା ଅନୁସାରେ ଏବଂ ଭାରତ ସରକାରଙ୍କ( ବ୍ୟବସାୟ ବଣ୍ଟନ) ନିୟମ ୧୯୬୧ର ସଂଶୋଧନ ଅନୁସାରେ ମନ୍ତ୍ରାଳୟଙ୍କ ନାମ ପରିବର୍ତ୍ତନ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ଅନ୍ୟ ବିଷୟ ଯାହା ପୋର୍ଟ ଓ ସିପିଙ୍ଗ ମନ୍ତ୍ରାଳୟ ଅନ୍ତର୍ଗତ ରହିବେ ସେଗୁଡିକ ମଧ୍ୟରେ ଜାହାଜ ନିର୍ମାଣ, ଜାହାଜ ମରାମତି ଉଦ୍ୟୋଗ, ଜାହାଜ ଭଙ୍ଗା, ମଛଧରା ଜାହାଜ ଉଦ୍ୟୋଗ ଆଦି ଭାସମାନ ଉଦ୍ୟୋଗ ଏହି ମନ୍ତ୍ରାଳୟଙ୍କ ଅନ୍ତର୍ଗତ ରହିବେ। ସେହିପରି ବିଭିନ୍ନ ସ୍ୱୟଂଶାସିତ ଅନୁଷ୍ଠାନ ଯେପରିକି ମୁମ୍ବାଇ, କୋଲକାତା ଓ ଅନ୍ୟ ପୋର୍ଟ ଟ୍ରଷ୍ଟ, ଭାରତ ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରାଧିକରଣ ଓ ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ମଧ୍ୟ ମିନିଷ୍ଟ୍ରି ଅଫ ପୋର୍ଟ ଅଧିନରେ କାର୍ଯ୍ୟ କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.