ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ହେଲା ଶିକ୍ଷା ମନ୍ତ୍ରଣାଳୟ, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮।୮: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ ହୋଇ ଶିକ୍ଷା ମନ୍ତ୍ରଣାଳୟ ହେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ଅନୁମୋଦନ କରିଛନ୍ତି । ଏକ ସରକାରୀ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ନୂଆ ଜାତୀୟ ଶିକ୍ଷା ନୀତି ଡ୍ରାଫ୍ଟରେ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ ସହ ଅନେକ ଗୁରୁତ୍ବପୂର୍ଣ୍ଣ ସୁପାରିଶ କରାଯାଇଥିଲା । ଗତ ମାସରେ କେନ୍ଦ୍ର କ୍ୟାବିନେଟ୍ ଏହି ନୀତିକୁ ଅନୁମୋଦନ କରିଥିଲା । ସୋମବାର ରାତିରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ ହୋଇ ଶିକ୍ଷା ମନ୍ତ୍ରଣାଳୟ ହେବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ମଧ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରାଯାଇଥିଲା । ଏହାର ପର ବର୍ଷ ଜାତୀୟ ଶିକ୍ଷା ନୀତି ଆସିଥିଲା ଏବଂ ତାହାକୁ ୧୯୯୨ରେ ସଂଶୋଧିତ କରାଯାଇଥିଲା ।

ପି.ଭି. ନରସିଂହ ରାଓ ରାଜୀବ ଗାନ୍ଧୀ କ୍ୟାବିନେଟରେ ପ୍ରଥମ ମାନବ ସମ୍ବଳ ବିକାଶ ମନ୍ତ୍ରୀ ହୋଇଥିଲେ । ନରେନ୍ଦ୍ର ମୋଦି ସରକାର ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ କସ୍ତୁରୀରାଙ୍ଗନଙ୍କ ନେତୃତ୍ବରେ ଏକ କମିଟିକୁ ନୂଆ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରିବାର ଦାୟିତ୍ବ ଦିଆଯାଇଥିଲା । କମିଟି ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରିବାକୁ ପ୍ରଥମ ପ୍ରସ୍ତାବ ଦେଇଥିଲା । ୨୦୧୮ ମସିହାରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଅଧ୍ୟକ୍ଷ ଏବଂ ‘କନଫରେନ୍ସ ଅନ୍ ଏକାଡେମିକ୍ ଲିଡରସିପ୍ ଅନ୍ ଏଜୁକେଶନ ଫର୍ ରିସଜେନ୍ସ’ର ମିଳିତ ସଂଗଠନ କମିଟିର ଅଧ୍ୟକ୍ଷ ରାମ ବାହାଦୂର ରାୟ ଏହି ବିଚାର ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.