କରୋନାକୁ ନେଇ ନୂତନ ଗାଇଡ୍ଲାଇନ୍ ଜାରି, କଣ୍ଟେନମେଣ୍ଟ ଜୋନ୍ରେ ଜାରି ରହିବ କଟକଣା, ଜାଣନ୍ତୁ ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ ରହିଛି ନିୟମ
25/11/2020 at 5:04 PM

ନୂଆଦିଲ୍ଲୀ ୨୫।୧୧: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର କରୋନା ଭାଇରସ୍ ମହାମାରୀକୁ ନେଇ ଡିସେମ୍ବର ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବପରି କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ। ଯେଉଁ ଅଞ୍ଚଳରେ କଟକଣା ଜାରି ରହିଛି ସେଠାରେ କଡାକଡି ନିୟମ ପାଳନ କରାଯିବ। ଏହି କଟକଣା ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ରେ ଲାଗୁ ରହିବ। କଣ୍ଟେନମେଣ୍ଟ ବାହାରେ ସମସ୍ତ କାର୍ଯ୍ୟ ଜାରି ରହିବ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍ରେ ନିୟମ ପାଳନ କରିବାର ଦାୟିତ୍ଵ ଜିଲ୍ଲା ପ୍ରଶାସନ ଉପରେ ରହିବ। କଣ୍ଟେନମେଣ୍ଟ ଜୋନ୍ର ତାଲିକା ଜିଲ୍ଲାପାଳ ଓ ସମ୍ବନ୍ଧିତ ରାଜ୍ୟର ଓ୍ଵେବସାଇଟ୍ରେ ପ୍ରକାଶିତ କରିବାକୁ ପଡିବ। କଣ୍ଟେନମେଣ୍ଟ ଜୋନ୍ ପାଇଁ ହୋଇଥିବା ନିୟମ ପାଳନ ସୁନିଶ୍ଚିତ କରିବାର ଦାୟିତଵ ସ୍ଥାନୀୟ ପୁଲିସ, ନିଗମ ଓ ଜିଲ୍ଲା ପ୍ରଶାସନ ଉପରେ ରହିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଏହି ବିଷୟରେ ଅଫିସରଙ୍କୁ ଦାୟିତ୍ଵ ନ୍ୟସ୍ତ କରିବେ।
ଗୃହ ମନ୍ତ୍ରଣାଳୟ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳକୁ କଠୋରତାର ସହ ନିୟମ ପାଳିବା, ବିଭିନ୍ନ ଗତିବିଧି ଉପରେ ଏସଓପି ଓ ଭିଡ ନିୟନ୍ତ୍ରଣ ପାଇଁ ବାଧ୍ୟତାମୂଳକ ଉପାୟ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। କୋଭିଡ୍ ସ୍ଥିତି ଦେଖି ରାଜ୍ୟ ସରକାର ରାତ୍ରକାଳୀନ କର୍ଫ୍ୟୁ ଜାରି କରି ପାରିବେ। କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଲକ୍ଡାଉନ୍ କି ସଟ୍ଡାଉନ୍ ଲାଗୁ କରି ପାରିବେ ନାହିଁ। ୧୪ ଦିନ ଭିତରେ କଣ୍ଟାକ୍ଟ ଟ୍ରେସିଂ ସାରିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି।
ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍ରେ କେବଳ ଆବଶ୍ୟକ ତଥା ଜରୁରୀକାଳୀନ ଗତିବିଧିକୁ ଅନୁମତି ଦିଆଯିବ। ଏହା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଜିଲ୍ଲା, ପୁଲିସ ଓ ନଗରପାଳିକାର ଅଧିକାରୀ ଉତ୍ତରଦାୟୀ ରହିବେ। ଏଥିସହ କଣ୍ଟେନମେଣ୍ଟ ଜୋନ୍ରେ ନିୟମ କଡାକଡି ପାଳନ କରାଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀ ସ୍ଥିତି ଦେଖି ନିଷ୍ପତ୍ତି ନେବେ ଏବଂ ଏଥିପ୍ରତି ଉତ୍ତରଦାୟୀ ରହିବେ ବୋଲି ମାର୍ଗଦର୍ଶିକା କୁହାଯାଇଛି।
ନୂତନ ଗାଇଡ୍ଲାଇନ୍ରେ ମଧ୍ୟ ସିନେମା ହଲ, ଥିଏଟର, ସ୍ଵିମିଂ ପୁଲ୍ ଆଦିକୁ ନେଇ କଟକଣା ଜାରି ରହିଛି। ସିନେମା ହଲ ୫୦ ପ୍ରତିଶତ ଦର୍ଶକ କ୍ଷମତା ସହିତ ଚାଲିବ। ସ୍ଵିମିଂ ପୁଲ୍ର ବ୍ୟବହାର କେବଳ କ୍ରୀଡାବିତ୍ତଙ୍କ ପାଇଁ ଉଦ୍ଦିଷ୍ଟ ରହିବ। କୌଣସି ପ୍ରକାରର କାର୍ଯ୍ୟକ୍ରମ ସେ ଧାର୍ମିକ ହେଉ କି, ସାମାଜିକ, କି ମନୋରଞ୍ଜନ କିମ୍ବା ଶୈକ୍ଷେଣିକ ସବୁ ଥିରେ ୨୦୦ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ। ଯଦି ରାଜ୍ୟ ଚାହିଁବେ ତେବେ ଏହି ସଂଖ୍ୟାକୁ ୧୦୦ କିମ୍ବା ସେଥିରୁ କମ ମଧ୍ୟ କରି ପାରିବେ।
ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗମନାଗମନ ଏବଂ ପରିବହନ ପାଇଁ କୌଣସି ପ୍ରକାରର ରୋକ୍ ନାହିଁ। ଯାତାୟତ ପାଇଁ କୌଣସି ପ୍ରକାରର ପରମିଟ୍ କି ଇ ପରମିଟ୍ର ଆବଶ୍ୟକତା ନାହିଁ।