ଗୋପାଳପୁର-ଦିଘା କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ
15/03/2019 at 4:21 PM

ଗୋପାଳପୁର ୧୫|୩ : କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ପ୍ରକଳ୍ପରେ ଗୋପାଳପୁରରୁ ଦିଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେର ନିର୍ମାଣ ଉପରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ରୋକ୍ ଲଗାଇଛି। ୪୫୧କିମିର ଏହି କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ଆବଶ୍ୟକ ପରିବେଶ ଅନୁମତି ସାର୍ଟିଫିକେଟ୍ ଦେବାକୁ ପରିବେଶ ମନ୍ତ୍ରାଳୟର ବିଶେଷଜ୍ଞ କମିଟି ମନା କରିଦେଇଛି।
ବର୍ତ୍ତମାନ ଯେଉଁ ଡିଜାଇନ୍ ର ଏବଂ ଯେଉଁ ଯେଉଁ ଅଞ୍ଚଳରେ ରାସ୍ତା ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି ସେହିପରି ନିର୍ମାଣ ହେଲେ ପରିବେଶ ଓ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପଡ଼ିବ । ବିଦେଶାଗତ ପକ୍ଷୀ ଏବଂ ଅଲିଭ ରିଡଲେ କଇଁଛଙ୍କ ପ୍ରତି ବିପଦ ଅଛି । ତେଣୁ ନୂଆ ବିକଳ୍ପ ରାସ୍ତା ଡିଜାଇନ୍ ପ୍ରସ୍ତୁତ କରି ପରିବେଶ ଅନୁମତି ପାଇଁ ଆବେଦନ କରିବାକୁ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇଜାଲ୍ କମିଟି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କହିଛି।
ଏହି କୋଷ୍ଟାଲ ହାଇୱେ ଗୋପାଳପୁର ବନ୍ଦର ନିକଟରୁ ଆରମ୍ଭ ହୋଇ ସାତପଡ଼ା, କୋଣାର୍କ, ଅସ୍ତରଙ୍ଗ, ନୂଆଗାଁ, ପାରାଦୀପ ବନ୍ଦର ହୋଇ ରତନପୁରରେ ଶେଷ ହେବ। ତେବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବକୁ ବିଶେଷଜ୍ଞ କମିଟି ପ୍ରତ୍ୟାଖାନ କରି ଦେଇଛି ।
ଏହି ରାସ୍ତା ନିର୍ମାଣ ହେଲେ ୧୩ଟି ନଦୀ ଓ ହ୍ରଦ ଅତିକ୍ରମ କରିବାକୁ ପଡ଼ିବ। ଏହି ନଦୀଗୁଡ଼ିକ ଉପରେ ବ୍ରିଜ୍ ନିର୍ମାଣ ହେଲେ ଅଲିଭ୍ ରିଡଲେଙ୍କ ଅଣ୍ଡା ଦାନ ଉପରେ ଏବଂ ଦେଶାନ୍ତର ପକ୍ଷୀଙ୍କ ଯାତାୟତ ଉପରେ ପ୍ରଭାବ ପଡ଼ିବ । ତେଣୁ ନୂଆ ଡିଜାଇନ୍ ପ୍ରସ୍ତୁତ କରି ପରିବେଶ ଅନୁମତି ପାଇଁ ଆବେଦନ କରିବାକୁ କମିଟି କହିଛି।