ଏବେ ପୁରଣ ହେବ ପାଇଲଟ ହେବାର ସ୍ୱପ୍ନ, ଲାଇସେନ୍ସ ନିୟମ କୋହଳ କଲେ ସରକାର
26/06/2019 at 9:56 PM

ନୂଆଦିଲ୍ଲୀ: ଉଡା ଜାହାଜ ଚଳାଇ ଆକାଶ ଛୁଇଁବା ପାଇଁ ପିଲାଦିନେ ଅନେକସ୍ୱପ୍ନ ଦେଖନ୍ତି। ତେବେ ପରେ ପାଇଲଟ ହେବା ପାଇଁ ପଡୁଥିବା ଖର୍ଚ୍ଚ ଓ ସରକାରଙ୍କ ଲାଇସେନ୍ସ କଟକଣା ଅନେକଙ୍କ ସ୍ୱପ୍ନ ଭାଙ୍ଗି ଦିଏ । ହେଲେ ଦେଶରେ କମର୍ସିଆଲ ପାଇଲଟଙ୍କ ସଂଖ୍ୟା ହ୍ରାସ ଏବେ ସରକାରଙ୍କୁ ଲାଇସେନ୍ସ ନିୟମ କୋହଳ କରିବାକୁ ବାଧ୍ୟ କରିଛି। ଏଣୁ ପାଇଲଟ ହେବା ପାଇଁ ଲୋକଙ୍କ ମଉଳି ଯାଇଥିବା ଆଶା ପୁଣି ଉଜ୍ଜିବିତ ହେବ ବୋଲି ଅନୁମାନ କରାଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏ ନେଇ ପାଇଲଟଙ୍କ ଅଭିଜ୍ଞତା କୋହଳ କରିଥିବା ଜଣାପଡିଛି। ଏପରିକି ଗତ ୫ ବର୍ଷରେ ବିଲକୁଲ ବିମାନ ଚଳାଇବାର ଅନୁଭବ ନଥାଇ ମଧ୍ୟ ପାଇଲଟ ଲାଇସେନ୍ସ ପାଇଁ ଅବେଦନ କରିପାରିବେ ବୋଲି ମନ୍ତ୍ରାଳୟ ଘୋଷଣା କରିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପାଇଲଟ ଲାଇସେନ୍ସ ପାଇଁ ଉଡାଣ ଅନୁଭବ ସର୍ତ କୋହଳ କରିଛନ୍ତି। ପୂର୍ବରୁ ଲାଇସେନ୍ସ ପାଇଁ ଆବେଦନ କରିବା ଦିନରୁ ପୂର୍ବ ୫ ବର୍ଷରେ ଅନୁନ୍ୟ ୨ଶହ ଘଣ୍ଟା ଉଡାଣ ଅନୁଭବ ଥିଲେ ହିଁ କେହି ଲାଇସେନ୍ସ ପାଇଁ ଅବେଦନ କରିପାରୁଥିଲେ। ଏହି ନିୟମ କଡାକଡି ପାଳନ ହେଉଥିବାରୁ ଅନେକ ଇଛା ଥିଲେ ବି ପାଇଲଟ ଲାଇସେନ୍ସ ପାଇ ପାରୁନଥିଲେ। ତେବେ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରି ଏୟାରକ୍ରାଫ୍ଚ ରୁଲସ ୧୯୩୭ରେ ସଂଶୋଧନ କରିଛନ୍ତି। ଏଣୁ ଏବେ ପାଇଲଟଙ୍କ ଲାଇସେନ୍ସ ପାଇଁ ପ୍ରଶିକ୍ଷଣ ଓ ଉଡାଣ ଅନୁଭବ ସମୟସୀମା କଟକଣା ରହିବ ନାହିଁ। ସେହିପରି ଯେଉଁମାନେ କ୍ୟାରିୟରକୁ ଅଧାରେ ଛାଡିଦେଇଥିଲେ ସେମାନେ ଚାହିଁଲେ ମଧ୍ୟ ଦ୍ୱିତୀୟବାର ଲାଇସେନ୍ସ ପାଇଁ ଆବେଦନ କରିପାରିବେ ।

ଗତ ୪ ବର୍ଷ ହେଲା ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବାର୍ଷିକ ୨୦ ପ୍ରତିଶତ ହାରରେ ବଢିବାରେ ଲାଗିଛି। ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ବିମାନ କମ୍ପାନୀମାନେ ବହୁ ସଂଖ୍ୟାରେ ବିମାନ କିଣିବାକୁ ଅର୍ଡର ଦେଇଛନ୍ତି। ତେବେ ସେହି ଅନୁସାରେ ଏବେ ମାନବ ସମ୍ବଳ ଅଭାବ ଇଣ୍ଡଷ୍ଟ୍ରି ପାଇଁ ନୂଆ ସମସ୍ୟା ହୋଇ ଉଭା ହୋଇଛି। ଯେଉଁଥିରେ ପାଇଲଟଙ୍କ ଅଭାବ ସବୁଠାରୁ ବଡ ସମସ୍ୟା ପାଲଟିଛି।