ଭୋପାଳ ୨୧।୦୨: ଠିକ୍ରେ ମିଳିଲାନି ନେଟଓ୍ଵର୍କ। ସିଗ୍ନାଲ ଖୋଜୁ ଖୋଜୁ ମେଳାରେ ପଡିଥିବା ଦୋଳି ଉପରକୁ ଚଢିଗଲେ ମନ୍ତ୍ରୀ। ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଅଶୋକନଗର ଜିଲ୍ଲାରେ। ମଧ୍ୟ ପ୍ରଦେଶର ଜନ ସ୍ଵାସ୍ଥ୍ୟ ଓ ଯାନ୍ତ୍ରିକ ମନ୍ତ୍ରୀ ବୃଜେନ୍ଦ୍ର ସିଂହ ଯାଦବ ନେଟ୍ଓ୍ଵର୍କ ସମସ୍ୟା କାରଣରୁ ସିଗ୍ନାଲ ସନ୍ଧାନରେ ଅଶୋକନଗର ଜିଲ୍ଲାର ଏକ ଗାଁରେ ଚାଲିଥିବା ମେଳାରେ ଏକ ଦୋଳି ଉପରେ ବସି ୫୦ ଫୁଟ୍ ଉପରକୁ ଯାଇଥିଲେ।
ଏହି ଦୃଶ୍ୟର ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଲୋକେ ତାତ୍ସଲ୍ୟ କରି କହିଛନ୍ତି ଯେ, କଣ ଏହା ଡିଜିଟାଲ ଇଣ୍ଡିଆ। ଆମଖୋ ଗାଁରେ ଝୁଲାରେ ବସିଥିବା ମନ୍ତ୍ରୀଙ୍କ ଫଟୋ ରବିବାର ଏକ ଖବର କାଗଜରେ ପ୍ରକାଶିତ ହୋଇଛି ଏବଂ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
ପ୍ରତକ୍ଷ୍ୟଦର୍ଶୀଙ୍କ ଅନୁଯାୟୀ, ଏହି ଗାଁଟି ମନ୍ତ୍ରୀ ବୃଜେନ୍ଦ୍ର ସିଂହ ଯାଦବଙ୍କ ଗାଁ ସୁରେଲ ନିକଟରେ ଅବସ୍ଥିତ। ଏହା ଚନ୍ଦେରୀ ତହସିଲ ଅନ୍ତର୍ଗତ। ସେ ଏହି ଗାଁରେ ନଅ ଦିନର ଭଗବତ କଥା ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମେଳା ମଧ୍ୟ ପଡିଛି। କିନ୍ତୁ ଅଞ୍ଚଳରେ ମୋବାଇଲ୍ ନେଟଓ୍ଵର୍କର ସମସ୍ୟା ରହିଛି। ଏଥିପାଇଁ ମନ୍ତ୍ରୀ ଦୋଳିର ବ୍ୟବହାର କରି ଉଚ୍ଚକୁ ପହଞ୍ଚି ମୋବାଇଲ୍ରେ କଥା ହୋଇଥିଲେ।
ଯାଦବ କହିଛନ୍ତି, ସ୍ଥାନୀୟ ଲୋକେ ନିଜର ସମସ୍ୟା ନେଇ ମୋ ପାଖକୁ ଆସୁଛନ୍ତି। ଇଲାକାରେ ନେଟ୍ଓ୍ଵର୍କ ସମସ୍ୟା କାରଣରୁ ସେମାନଙ୍କ ସାହାଯ୍ୟ କରି ପାରୁନାହିଁ। ଏଥିପାଇଁ ସିଗ୍ନାଲ ପାଇବା ପାଇଁ ଦୋଳିରେ ବସି ଉଚ୍ଚରେ ପହଞ୍ଚିବା ପରେ ଅଧିକାରୀଙ୍କ ସହ କଥା ହେଉଛି ଏବଂ ଲୋକଙ୍କ ସମସ୍ୟାର ନିରାକରଣ କରୁଛି।