ଫନିର ୨ ମାସ ପରେ ବି ସ୍ବାଭାବିକ ହୋଇପାରୁନି ବିଦ୍ୟୁତ୍ ସେବା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଅଂଚଳ ଅନ୍ଧାରରେ : ଗର୍ଜିଲେ ବିରୋଧୀ, ମନ୍ତ୍ରୀ କହିଲେ ୪ ପୂର୍ବରୁ ସବୁ ଠିକ୍ ହୋଇଯିବ
28/06/2019 at 4:55 PM

ଭୁବନେଶ୍ବର ୨୮|୬: ଆଜି ବିଜୁଳି ତାତିରେ କମ୍ପିଥିଲା ବିଧାନସଭା । ଫନିକୁ ୨ମାସ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଗାଁ ଅନ୍ଧାରରେ ରହିଛି । ଯାହାକୁ ନେଇ ଗର୍ଜିଛନ୍ତି ବିରୋଧୀ । ଏମିତିକି ଖୋଦ୍ ଶାସକ ଦଳ ସଦସ୍ୟ ମଧ୍ୟ ବିଦ୍ୟୁତ୍ସେବାର ଏଭଳି ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଯାହାର ଉତ୍ତର ରଖିଥିଲେ ଶକ୍ତିମନ୍ତ୍ରୀଙ୍କ ବଦଳରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଆଉ ୪ତାରିଖ ପୂର୍ବରୁ ସବୁ ଠିକ୍ ଠାକ୍ ହୋଇଯିବ ବୋଲି ଭରସା ଦେଇଥିଲେ ।
ଫନିକୁ ପୂରିଲାଣି ୨ମାସ । ତଥାପି ସ୍ବାଭାବିକ ହୋଇପାରୁନି ବିଦ୍ୟୁତ୍ ସେବା । ଏବେ ବି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଅଂଚଳ ଅନ୍ଧାରରେ । ସରକାରଙ୍କ ତଥ୍ୟ ଅନୁସାରେ ପୁରୀ ଜିଲ୍ଲାରେ ଏଯାଏଁ ୧୬ହଜାର ୭୫୦ ହିତାଧିକାରୀଙ୍କ ଘରକୁ ବିଜୁଳି ସଂଯୋଗ ହୋଇପାରିନାହିଁ । ହେଲେ ବିଜୁଳି ବିଭାଗର ତଥ୍ୟ କହୁଛି ପୁରୀ ଜିଲ୍ଲାର ୨ଲକ୍ଷ ୬ହଜାର ୬୭ କଞ୍ଜୁମରଙ୍କ ଭିତରୁ ଏଯାଏଁ ୧ଲକ୍ଷ ୮୯ ହଜାର ୩୧୬ କଞ୍ଜୁମରଙ୍କୁ ମିଳିଛି ବିଜୁଳି । ଏଥିରୁ ପୁରୀ ଜିଲ୍ଲାରେ ଏବେ ବି ଅନେକ ଗାଁ ଅନ୍ଧାରରେ ଅଛି ତାହା ପ୍ରମାଣିତ ହେଉଛି ।
ତେବେ ଯେଉଁଠି ବିଜୁଳି ସଂଯୋଗ ଦିଆଯାଇଛି ସେଠି ସାମାନ୍ୟ ବର୍ଷା କି ପବନ ହେଲେ ଦିନ ଦିନ କରେଣ୍ଟ୍ ଆସୁନି । ବିଜୁଳି ଖୁଣ୍ଟ ସବୁ ଠିକ୍ ଭାବେ ପୋତା ଯାଇନଥିବାରୁ କାଳବୈଶାଖୀରେ ମଧ୍ୟ ଶୋଇ ପଡ଼ୁଛି । ଏଭଳି ପରିସ୍ଥିତିରେ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଜୁଳି ତାତି । ସରକାରଙ୍କ ଉପରେ ଗର୍ଜିଥିଲେ ବିରୋଧୀ । ଆଉ ଖୋଦ୍ ଶାସକ ସଦସ୍ୟ ମଧ୍ୟ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଶକ୍ତି ମନ୍ତ୍ରୀଙ୍କ ସ୍ଥାନରେ ଯାହାର ଉତ୍ତର ରଖିଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । କହିଥିଲେ କେବଳ ପୁରୀ ଜିଲ୍ଲାରେ ବିଦ୍ୟୁତ୍ ବିଭାଗର କ୍ଷତିର ପରିମାଣ ୧୧୬୦ କୋଟି ଟଙ୍କା । ତେବେ ପୁରୀ ଜିଲ୍ଲାର ସବୁ ଗାଁକୁ ବିଜୁଳି ସଂଯୋଗ ଦିଆଯାଇପାରିନଥିବାକୁ ସ୍ବିକାର କରିଥିଲେ ମନ୍ତ୍ରୀ । ରଥଯାତ୍ରା ପୂର୍ବରୁ ସବୁ ଠିକ୍ ଠାକ୍ କରିଦେବେ ବୋଲି କହିଥିଲେ ।
ସରକାର କହୁଛନ୍ତି ଓଡ଼ିଶା ବିଜୁଳି ଉତ୍ପାଦନରେ ବଳକା ରାଜ୍ୟ । ହେଲେ ରାଜ୍ୟରେ କେତେ ବିଜୁଳି ଉତ୍ପାଦନ ହେଉଛି, ବାହାର ରାଜ୍ୟକୁ ସରକାର କେତେ ବିଜୁଳି ବିକ୍ରି କରୁଛନ୍ତି ବିଧାନସଭାରେ ତା’ର ସିଧା ଉତ୍ତର ଦେଇପାରିନଥିଲେ ମନ୍ତ୍ରୀ । ଏଥିସହ ରାଜ୍ୟରେ ଲୋ-ଭୋଲଟେଜ୍, ପାଓ୍ବାର କଟ୍କୁ ନେଇ ବିରୋଧୀଙ୍କ ପ୍ରଶ୍ନ ବାଣରେ ମନ୍ତ୍ରୀ ଚୁପ୍ ରହିଥିଲେ ।
ସରକାରୀ ତଥ୍ୟ କହୁଛି ଓଡିଶା ବିଭିନ୍ନ କ୍ଷେତ୍ରରୁ ୨୭ ହଜାର ୬୩୩ ମିଲିୟନ ୟୁନିଟ୍ ବିଜୁଳି ଉତ୍ପାଦନ କରୁଛି । ସେଥିରୁ ୨୫ ହଜାର ୪୬୮ ମିଲିୟନ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହେଉଛି । ବାହାର ରାଜ୍ୟକୁ ଓଡିଶା ବିକୁଛି ୧୨୮ ମିଲିୟନ ୟୁନିଟ ।