ମାମଲତାକାରିଆ ମନ୍ତ୍ରୀଙ୍କ ଦବଙ୍ଗଗିରି : ପୋଲିସ୍ କଷ୍ଟୋଡ଼ିରେ ଥିବା ଯୁବକଙ୍କୁ ଗାଡ଼ି ଭିତରେ ପଶି ପିଟିଲେ
1/12/2018 at 6:15 PM

ଭୁବନେଶ୍ବର୧|୧୨: ସରକାରର ମାମଲତାକରିଆ ମନ୍ତ୍ରୀ ଦେଖାଇଲେ ଦବଙ୍ଗଗିରି । ଆଇନକୁ ହାତକୁ ନେଇ ପୋଲିସ୍ କଷ୍ଟୋଡ଼ିରେ ଥିବା ଯୁବକଙ୍କୁ ଗାଡ଼ି ଭିତରେ ପିଟିଲେ । ବଲାଙ୍ଗିର ସଇଁତଳା ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ସଭାରେ ଏମିତି କାଣ୍ଡ କରିଛନ୍ତି ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ସଭା ମଞ୍ଚରେ ଅଣ୍ଡା ମାଡ଼କୁ ନେଇ ହୋଇଛି ମହାଭାରତ । ଆଉ ମନ୍ତ୍ରୀ ଏବଂ ବିଜୁ ଯୁବ ବାହିନୀର କାଣ୍ଡ ବିଜେଡିକୁ ସମାଲୋଚନା କରିବାକୁ ବିରୋଧୀଙ୍କୁ ଦେଇଛି ଭଲ ଖୋରାକ ।
ମାତିଛନ୍ତି ମନ୍ତ୍ରୀ । ଜଣେ ବ୍ୟକ୍ତିଙ୍କୁ ପୋଲିସ୍ କଷ୍ଟେ ମଷ୍ଟେ ଲୋକଙ୍କ ଦାଉରୁ ରକ୍ଷା କରି ଗାଡ଼ିରେ ପୂରାଇ ଦେଲା । ଗାଡ଼ି ଭିତରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଉତ୍ୟକ୍ତ ଲୋକେ ଭିଡ଼ିନେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ସେମାନଙ୍କୁ ଦମ୍ ଦେଖାଇ ଘଉଡ଼ାଇ ଦେଲା । ହେଲେ ଜଣଙ୍କ ପାଖରେ ହାର ମାନିଗଲା ପୋଲିସ । କିଏ ଏ ଭଦ୍ରବ୍ୟକ୍ତି ? ସେ ହେଉଛି ଆମ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ପୋଲିସକୁ ଭୁଡ୍ ପକାଇ ମନ୍ତ୍ରୀ ମହାଶୟ, ଗାଡ଼ିର ଡୋର୍ ଖୋଲି ସଂପୃକ୍ତ ବ୍ୟକ୍ତିଙ୍କୁ ମାରି ଚାଲିଥିଲେ । ନିଜ ଏରିଆରେ ଶକ୍ତି ମନ୍ତ୍ରୀ, ତାଙ୍କ ଶକ୍ତି ଦେଖାଇଛନ୍ତି ।
ନିଜ ଏରିଆରେ ଏମିତି ଦବଙ୍ଗଗିରି ଦେଖାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ତାହା ପୁଣି ବିଜେଡି କାର୍ଯ୍ୟକ୍ରମରେ । ବଲାଙ୍ଗିର ସଇଁତଳା ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଏମିତି ଘଟିଛି । ମଞ୍ଚରେ ମନ୍ତ୍ରୀ ଓ ବିଧାୟିକା ଥିବା ବେଳେ ତଳେ ଥିଲେ ବିଜେଡି କର୍ମୀ ଓ ବିଜୁ ଯୁବ ବାହିନୀ । ଆଉ ଏହି ସମୟରେ ଗହଳି ଭିତରୁ ଯାଇ ମଞ୍ଚରେ ପଡ଼ିଲା ଅଣ୍ଡା । ଅଣ୍ଡା ଫିଙ୍ଗିଦେଇ, ସଂପୃକ୍ତ ଯୁବକ ଧାଇଁ ପଳାଉଥିବା ବେଳେ ପୋଲିସ୍ ତାଙ୍କୁ କାବୁ ଧରି ପକାଇଲା । ଆଉ ତା ପରେ ନିଜକୁ ସମ୍ଭାଳି ପାରିଲେନି ମନ୍ତ୍ରୀଙ୍କ ସମର୍ଥକମାନେ । ପୋଲିସ୍ ଧରିଥିଲେ ମଧ୍ୟ ସଂପୃକ୍ତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ବହୁ କଷ୍ଟରେ ତାଙ୍କୁ ନେଇ ଗାଡ଼ିରେ ପୂରାଇ ଦେଲା । ହେଲେ ମଞ୍ଚରୁ ଉଠି ଆସି, ଆଇନକୁ ଖୋଲାଖୋଲି ହାତକୁ ନେଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ଏଭଳି ଔଦ୍ଧତ୍ୟ ଆଚରଣ, ବିଜେଡିକୁ ସମାଲୋଚନା କରିବାକୁ ବିରୋଧୀଙ୍କୁ ଦେଇଛି ଭଲ ଖୋରାକ୍ ।
ଅଣ୍ଡା ମାଡ଼ ଘଟଣାରେ ପୋଲିସ୍ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ବିଜେପୁର ଉପ ନିର୍ବାଚନରେ ବିଜେଡି ଜିତିବା ପରେ, ସରକାର ଏବଂ ଦଳରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଉ ବଢ଼ିଯାଇଛି । ଯେଉଁଥି ପାଇଁ ବୋଧେ ସେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ପୋଲିସ୍ କଷ୍ଟୋଡିରେ ଥିବା ଅଭିଯୁକ୍ତ ଦେହରେ ମନ୍ତ୍ରୀ ହାତ ଦେବାକୁ କିଏ ? କାହିଁକି ମନ୍ତ୍ରୀଙ୍କ ବିରୋଧରେ ହେବନି ଆକ୍ସନ୍ ?