କରୋନା ଭାଇରସର ଭୟ: ଜର୍ମାନ ଚାନସେଲରଙ୍କ ସହ ହାତ ମିଳାଇବାକୁ ମନା କଲେ ମନ୍ତ୍ରୀ

Published By : Prameya-News7 Bureau | March 03, 2020 IST

ନୂଆଦିଲ୍ଲୀ ୦୩।୦୩- ସମଗ୍ର ଦୁନିଆରେ କରୋନା ଭୂତାଣୁକୁ ନେଇ ଲୋକେ ଏତେ ମାତ୍ରାରେ ଭୟଭୀତ ହୋଇ ଯାଇଛନ୍ତି ଯେ, ପରସ୍ପରର ହାତ ମିଳାଇବାକୁ ମଧ୍ୟ ଡରୁଛନ୍ତି। ଏମିତି କିଛି ଘଟଣା ଜର୍ମାନୀ ଚାନସେଲର ଏଞ୍ଜେଲା ମୋର୍କେଲଙ୍କ ସହିତ ଘଟିଛି, ଯେବେ ସେ  ହାତ ମିଳାଇବାକୁ ହାତ ବଢାଇଲେ ତେବେ ତାଙ୍କର ଜଣେ ମନ୍ତ୍ରୀ ହାତ ମିଳାଇବାକୁ ମନା କରି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଜର୍ମାନୀରେ କରୋନା ଭୂତାଣୁରେ ମୃତକଙ୍କ ସଂଖ୍ୟା ୧୫୦ରେ ପହଞ୍ଚିଛି।

ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନରେ ଆରମ୍ଭ ହୋଇଥିବା ଏହି ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣରେ ଆସି ବିଶ୍ଵର ୬୫ଟି ଦେଶର ଅଦ୍ୟାବଧି ୩୧୦୦ ଲୋକଙ୍କ  ପ୍ରାଣହାନୀ ଘଟି ସାରିଛି। ଏହା ସହିତ ପ୍ରାୟ ୮୯ ହଜାର ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। କରୋନାର ପ୍ରାଦୁର୍ଭାବ ଥମିବାର ନାମ ନେଉନାହିଁ। ଏଥିରେ ସର୍ବାଧିକ ପ୍ରଭାବିତ ଲୋକ ଚୀନର ଅଟନ୍ତି। ଏହି ଭୂତାଣୁରେ ଚୀନରେ ମରିଥିବା ୮୦ ପ୍ରତିଶତ ଲୋକଙ୍କ ଆୟୁ ୬୦ ବର୍ଷରୁ ଅଧିକ ହେବ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏବଂ ଚୀନ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଏହି ଭାଇରସରେ ବୃଦ୍ଧ ଲୋକଙ୍କ ଅପେକ୍ଷା ଯୁବ ପିଢି କମ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି। ଘାତକ କରୋନା ଭାଇରସ ପ୍ରକୋପ ଉପରେ ଚିନ୍ତା ବ୍ୟକ୍ତ କରି ମିଳିତ ଜାତିସଂଘ ସଂକ୍ରମଣକୁ ରୋକିବା ପାଇଁ ଏକ କୋଟି ୫୦ ଲକ୍ଷ ଆମେରିକୀୟ ଡଲାର ସହାୟତା ରାଶି ଘୋଷଣା କରିଛି। ଏହି ଅର୍ଥର ବ୍ୟବହାର ବିଶେଷ କରି ଦୁର୍ବଳ ସ୍ଵାସ୍ଥ୍ୟ ବ୍ୟବସ୍ଥା ଥିବା ଦେଶଗୁଡିକରେ ବିନିଯୋଗ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.