ଏୟାରଲିଫ୍ଟ ହେଲେ ମନ୍ତ୍ରୀ ପ୍ରତାପ ଜେନା, ଫୁଲବାଣୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଅଣାଯାଉଛି

Published By : Prameya-News7 Bureau | October 31, 2021 IST

କନ୍ଧମାଳ, ୩୧/୧୦ : ଏୟାରଲିଫ୍ଟ ହେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏୟାର ଆମ୍ବୁଲାନ୍ସ ଯୋଗେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏବେ ଫୁଲବାଣୀରୁ ଭୁବନେଶ୍ବର ଅଣାଯାଉଛି । ଭୁବନେଶ୍ବରରେ ପହଞ୍ଚିବା ପ​‌ରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବ । ରବିବାର ସକାଳୁ ଫୁଲବାଣୀ ସର୍କିଟ ହାଉସରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ଡାକ୍ତରୀ ଦଳ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରିଥିଲେ । ଏବେ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଅଣାଯାଉଛି ।

ସକାଳେ ମନ୍ତ୍ରୀ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଥିଲା । ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵର ଅଣାଯାଉଛି। ଖବର ପାଇ କନ୍ଧମାଳ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ, ଗ୍ରାମ୍ୟ ପାନୀୟ ଜଳ ବିଭାଗ ଏସଇ ଇଂ ସନ୍ତୋଷ କୁମାର କରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଡାକ୍ତରମାନେ ସର୍କିଟ ହାଉସରେ ପହଁଚି ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ୪ଦିନିଆ କନ୍ଧମାଳ ଗସ୍ତରେ ଆସି ମନ୍ତ୍ରୀ ଦାରିଙ୍ଗବାଡି, କୋଟଗଡ ,ତୁମୁଡିବନ୍ଧ ବାଲିଗୁଡ଼ାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ । ଏହାପରେ ଶନିବାର ଫୁଲକାଶୀ ସର୍କଟ ହାଉସରେ ପହଞ୍ଚିଥିଲେ। ରବିବାର ଚକାପାଦ ଶଙ୍କରା ଖୋଲ, ବସ୍ତିଙ୍ଗିଆ, ଗଞ୍ଜଗୁଡ଼ା ଆଦି ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବାର ଥିଲା। ସେହିପରି ସୋମବାର ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟକ୍ରମ ଥିଲା । ତେବେ ମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପଞ୍ଚାୟତରାଜ, ପାନୀୟଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ବିଜେଡି ସାଂଗଠନିକ ଦାୟିତ୍ଵରେ ଥିବାରୁ ୪ ଦିନିଆ ଗ୍ରସ୍ତରେ ଆସିଥିଲେ । ତେବେ ଅତ୍ୟଧିକ ପରିଶ୍ରମ ଓ ଚାପ ଯୋଗୁଁ ସେ ରବିବାର ସକାଳୁ ଅସୁସ୍ଥ ହୋଇପଡିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.