ଜୋଜିଲା ଟନେଲ ନିର୍ମାଣ ଲାଗି ଭର୍ଚୁଆଲ ବ୍ଲାଷ୍ଟ କଲେ ନିତିନ ଗଡ଼କରି, ଶ୍ରୀନଗର-ଲେହ ମାର୍ଗ ହେବ ସୁଗମ

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫।୧୦: କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଶ୍ରୀନଗର-ଲେହ ରାଜମାର୍ଗରେ ପ୍ରସ୍ତାବିତ ଜୋଜିଲା ଟନେଲ ନିର୍ମାଣ କାର୍ଯ୍ୟକୁ ଉଦଘାଟନ କରିଛନ୍ତି।  ଭର୍ଚୁଆଲ କାର୍ଯ୍ୟକ୍ରମରେ ଗଡକରି ଏଥିଲାଗି ପ୍ରଥମ ବ୍ଲାଷ୍ଟ କରିଥିବା ବେଳେ ଏବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରସ୍ତାବିତ ଟନେଲର ନିର୍ମାଣ କାର୍ଯ୍ୟ ଶେଷ ହେଲେ ଶ୍ରୀନଗରକୁ ଦ୍ରାସ, କର୍ଗିଲ ଓ ଲେହକୁ ସବୁଦିନିଆ ମାର୍ଗ ଖୋଲିବ।

{"id":345141,"sizeSlug":"large"}

ତେବେ ଏହି ପ୍ରକଳ୍ପର ଏକ ରଣନୈତିକ ଗୁରୁତ୍ୱ ରହିଛି। କାରଣ ଜୋଜିଲା ପାସ୍ ଶ୍ରୀନଗର-କାର୍ଗିଲ-ଲେହ ଜାତୀୟ ରାଜମାର୍ଗରେ ସମୁଦ୍ର ପତନରୁ ୧୧ ହଜାର ୫୭୮ ଫୁଟ ଉଚ୍ଚରେ ରହିଛି। ଫଳରେ ଶୀତ ଦିନେ ଭୀଷଣ ହୀମପାତ ଯୋଗୁ  ଯାନବାହନ ଚଳାଚଳ ଲାଗି ରାଜମାର୍ଗ ବନ୍ଦ  କରାଯାଏ।  ଏହା ଛଡା ବାହନ ଚଳାଚଳ ଲାଗି ଏହା ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ମାର୍ଗ  ମଧ୍ୟରେ ଅନ୍ୟତମ। ଏଣୁ ଏଠାରେ ଏପରି ଟନେଲର ପରିକଳ୍ପନା ଭୂ-ରଣନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। 

{"id":345142,"sizeSlug":"large"}

ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଉଦଘାଟନ କରି ନିତିନ ଗଡକରି ଏହା ଏସିଆ ମହାଦେଶର ସବୁଠୁ ଦୀର୍ଘତମ  ସୁଡ଼ଙ୍ଗ ହେବ ବୋଲି କହିଛନ୍ତି। ଏହା ଦ୍ୱାରା ଲଦ୍ଦାଖ, ଲେହ ଓ କାଶ୍ମୀରର ଅର୍ଥବ୍ୟବସ୍ଥାରେ ମଧ୍ୟ ସୁଧାର ଆସିପାରିବ ଓ ଖାସ ଏଥିଲାଗି ସୁଡ଼ଙ୍ଗର ନିର୍ମାଣ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।  ଏହି ପ୍ରକଳ୍ପରେ ଜୋଜିଲା ପାସ୍‌କୁ ଲାଗି ୩ହଜାର ମିଟର ଉଚ୍ଚରେ ୧୪.୧୫ କିଲୋମିଟର ଦୀର୍ଘ ସୁଡଙ୍ଗ ନିର୍ମାଣ କରାଯିବ। ଏହି ସୁଡ଼ଙ୍ଗର ନିର୍ମାଣ କାମ ଶେଷ ହେଲେ ଆଧୁନିକ ଭାରତର ଏକ ମହାନ ଉପଲବ୍ଧି ହେବ ବୋଲି କହିଛନ୍ତି ଗଡକରି।

{"id":345143,"sizeSlug":"large"}

ଏହି ସୁଡ଼ଙ୍ଗ ପ୍ରକଳ୍ପ ଲାଗି କାର୍ଗିଲ, ଦ୍ରାସ ଓ ଲଦ୍ଦାଖ କ୍ଷେତ୍ର ଲୋକେ ଦୀର୍ଘ ୩୦ ବର୍ଷ ହେଲା ଦାବି କରିଆସୁଥିଲେ। ଏହା ଦ୍ୱାରା ଶ୍ରୀନଗରରୁ ଲେହକୁ ୩ ଘଣ୍ଟା ପରିବର୍ତ୍ତେ ମାତ୍ର ୧୫ ମିନିଟ୍‌ରେ ପହଞ୍ଚି ହେବ। ପ୍ରକଳ୍ପ କାର୍ଯ୍ୟ ମେଘା ଇଞ୍ଜିନିୟରିଂ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ( ଏମଇଆଇଏଲ) କୁ ପୁନଃ ଆବଣ୍ଟିତ କରାଯାଇଛି। ପ୍ରକଳ୍ପ ଲାଗି କମ୍ପାନୀ ସର୍ବନିମ୍ନ ୪୫୦୯.୫ କୋଟି ଟଙ୍କାରେ ନିର୍ମାଣ କରିବା ଲାଗି ଟେଣ୍ଡର ପକାଇଥିଲେ। ଏହି ନିର୍ମାଣ କାମ ଲାଗି ଲାର୍ସନ ଏଣ୍ଡ ଟୁର୍ବୋ ଓ ଇରକନ ଇଣ୍ଟରନ୍ୟାସନାଲ ଜେଭି ମଧ୍ୟ ଆଗ୍ରହୀ ଥିଲେ। ଗତ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ଏହି ଟନେଲ ଲାଗି ଶିଳାନ୍ୟାସ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.