ଦୂରଦର୍ଶନ ଦ୍ୱାରା ନିର୍ମିତ ଦେଶଭକ୍ତି ଗୀତ ‘ବତନ’ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକରଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ସମର୍ପିତ
13/08/2019 at 7:16 PM

ନୂଆଦିଲ୍ଲୀ ୧୩/୮: କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ନୂଆଦିଲ୍ଲୀଠାରେ ସ୍ୱାଧୀନତା ଦିବସ ୨୦୧୯ ଉପଲକ୍ଷେ ଦୂରଦର୍ଶନ ଦ୍ୱାରା ନିର୍ମିତ ଦେଶଭକ୍ତି ଗୀତ ‘ବତନ’ର ଉନ୍ମୋଚନ କରିଛନ୍ତି ।
ନୂତନ ଭାରତକୁ ସମର୍ପିତ ଏହି ଗୀତରେ କେନ୍ଦ୍ର ସରକାରଙ୍କ ଅନେକ ଅଗ୍ରଣୀ କାର୍ଯ୍ୟକ୍ରମ ଏବଂ ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି । ଏଥିରେ ଏଇ ନିକଟରେ ଚନ୍ଦ୍ରଯାନ ୨ର ସଫଳତା ପୂର୍ବକ ପ୍ରକ୍ଷେପଣ ପଛରେ କେନ୍ଦ୍ର ସରକାରଙ୍କ ଦୃଢ଼ ସଂକଳ୍ପ ଏବଂ ଦୂରଦର୍ଶିତା ମଧ୍ୟ ସମ୍ମିଳିତ ରହିଛି । ଏହି ଗୀତରେ ସଶସ୍ତ୍ର ବଳ ଯବାନଙ୍କ ବୀରତା ଓ ପରାକ୍ରମ ଏବଂ ଶହୀଦ ମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।

ଏହି ଅବସରରେ ନିଜର ସମ୍ବୋଧନରେ ଶ୍ରୀ ଜାଭଡେକର ଗୀତର ସୃଜନ ପାଇଁ ଦୂରଦର୍ଶନ ଏବଂ ପ୍ରସାର ଭାରତୀକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ଗୀତ ଚଳିତ ବର୍ଷ ସ୍ୱତନ୍ତ୍ରତା ଦିବସ ସମାରୋହର ଯୋଶ୍କୁ ଅଧିକ ବୃଦ୍ଧି କରିବ ।
ଏହି ଗୀତକୁ ଗାଇଛନ୍ତି ପ୍ରଖ୍ୟାତ ବଲିଉଡ ଗାୟକ ଜାଭେଦ ଅଲ୍ଲୀ ଏବଂ ଏହାର ରଚନା କରିଛନ୍ତି ଗୀତିକାର ଆଲୋକ ଶ୍ରୀବାସ୍ତବ । ସଂଗୀତ ପ୍ରଦାନ କରିଛନ୍ତି ଶ୍ରୀ ଦୂଷ୍ୟନ୍ତ । ଗୀତର ନିର୍ମାଣ କରିଛନ୍ତି ଉଭୟ ଦୂରଦର୍ଶନ ଏବଂ ପ୍ରସାରଭାରତୀ । ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ କେନ୍ଦ୍ରମାନଙ୍କ ଦ୍ୱାରା ଏହି ଗୀତର ପ୍ରସାରଣ କରାଯିବ । ଏହି ଗୀତ ସହିତ ସ୍ୱତନ୍ତ୍ରତା ଦିବସ ପାଳନ କରିବା ପାଇଁ ଏହାକୁ ଦୂରଦର୍ଶନ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କପିରାଇଟ ମୁକ୍ତ ରଖାଯାଇଛି । ସମସ୍ତ ଏଫଏମ ଷ୍ଟେସନ, ମନୋରଞ୍ଜନ ଓ ନ୍ୟୁଜ ଚ୍ୟାନେଲ, ସୋସିଆଲ ମିଡିଆ ଏବଂ ଅନ୍ୟ ମାଧ୍ୟମରେ ଏହାର ନିଃଶୁଳ୍କ ପ୍ରୟୋଗ କରାଯାଇ ପାରିବ ।

ଏହି ଗୀତର ଉନ୍ମୋଚନ ଅବସରରେ ପ୍ରସାର ଭାରତୀ ଅଧ୍ୟକ୍ଷ ଡଃ ଏ ସୂର୍ଯ୍ୟପ୍ରକାଶ, ପ୍ରସାର ଭାରତୀର ମୂଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଶଶୀ ଶେଖର, ଦୂରଦର୍ଶନର ମହାନିର୍ଦ୍ଦେଶକ ସୁଶ୍ରୀ ସୁପ୍ରିୟା ସାହୁ, ଦୂରଦର୍ଶନ ସମାଚାରର ମହାନିର୍ଦ୍ଦେଶକ ଶ୍ରୀ ମୟଙ୍କ ଅଗ୍ରୱାଲ, ଆକାଶବାଣୀର ମହାନିର୍ଦ୍ଦେଶକ ଶ୍ରୀ ଏଫ ଶାହରିୟାରଙ୍କ ସହିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ତଥା ପ୍ରସାର ଭାରତୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।