ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ କହିଲେ ‘ମୁଁ ମାସ୍କ ପିନ୍ଧେ ନାହିଁ’, ପରେ ଦେଲେ ସଫେଇ

Published By : Prameya-News7 Bureau | September 24, 2020 IST

ଭୋପାଳ ୨୪/୦୯: ‘ମୁଁ ମାସ୍କ ପିନ୍ଧେ ନାହିଁ,’ ଏ କଥା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି। କରୋନା ଭାଇରସ ମହାମାରୀକୁ ନେଇ ପୂରା ଦେଶ ଆତଙ୍କିତ ଅଛି। ଭାଇରସରୁ ରକ୍ଷା ପାଇବା ପାଇଁ ମାସ୍କ ତଥା ସାମାଜିକ ଦୂରତ୍ବ ପାଳନ କରିବାକୁ କୁହାଯାଉଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମାସ୍କ ପିନ୍ଧିବାକୁ ଦେଶବାସୀଙ୍କୁ ଅନୁରୋଧ କରୁଛନ୍ତି। ଏହା ବ୍ୟତୀତ ମାସ୍କ ନ ପିନ୍ଧିବା କାରଣରୁ ସାଧାରଣ ଲୋକଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏଭଳି ସ୍ଥଳେ ମହାମାରୀର ନିୟମ ଉଲ୍ଲଂଘନ କରିଛନ୍ତି ଖୋଦ୍ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ।

ଗତକାଲି ସେ ଇନ୍ଦୋର ଯାଇଥିଲେ। ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାତ୍ର ସେ କୌଣସି ଗୋଟିଏ ହେଲେ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧି ନ ଥିଲେ। ରବିନ୍ଦ୍ର ନାଟ୍ୟଗୃହ କାର୍ଯ୍ୟକ୍ରମ ଶେଷ ପରେ ସାମ୍ବାଦିକମାନେ ମାସ୍କ ପିନ୍ଧି ନ ଥିବା ତାଙ୍କୁ ପଚାରିବାରୁ ସେ ଆଶ୍ଚର୍ଯ୍ୟ କଲା ଭଳି କଥା କହିଥିଲେ। ସେ କହିଲେ- ‘ଏଠି ଏମିତି କ’ଣ ଅଛି? ମୁଁ କୌଣସି କାର୍ଯ୍ୟକ୍ରମରେ ମାସ୍କ ଲଗାଏ ନାହିଁ।’ ଏହି କାର୍ଯ୍ୟକ୍ରମ ପରେ ସେ ପୋଲିସ୍ କଂଟ୍ରୋଲ ଉଦଘାଟନ କରିବାକୁ ପହଞ୍ଚିଥିଲେ ସେଠାରେ ମଧ୍ୟ ସେ ମାସ୍କ ପିନ୍ଧି ନ ଥିଲେ। ଏହାର କିଛି ସମୟ ପରେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କଂଗ୍ରେସ ମଧ୍ୟ ଗୃହମନ୍ତ୍ରୀଙ୍କ ପ୍ରତିକ୍ରିୟାରେ ବୟାନ ଦେବା ଆରମ୍ଭ କଲେ। ନରୋତ୍ତମ ୪ ଘଂଟା ଇନ୍ଦୋରରେ ରହିଲେ ଏବଂ ଶହ ଶହ ଲୋକ ତାଙ୍କ ସଂସ୍ପର୍ଶରେ ଆସିଲେ। ବହୁ କାର୍ଯ୍ୟକ୍ରମରେ ସାମିଲ ହୋଇ ବି ସେ ମାସ୍କ ପିନ୍ଧିଲେ ନାହିଁ।

{"id":333797,"width":575,"height":431,"sizeSlug":"large"}

ତେବେ ପରେ ଭୋପାଳରେ ନିଜ ବୟାନ ଉପରେ ସଫେଇ ରଖିଛନ୍ତି ନରୋତ୍ତମ। ସେ ସଫେଇ ଦେଇ କହିଛନ୍ତି ‘ମାସ୍କ ଲଗାଏ କିନ୍ତୁ ଆବଶ୍ୟକତା ଥିଲେ ହିଁ ଲଗାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ମାସ୍କ ପିନ୍ଧିପାରେ ନାହିଁ। ଏହାର ମଧ୍ୟ କାରଣ ଅଛି। ମୋର ପଲିପ୍ସ ଅଛି। ମାସ୍କ ଲଗାଇଲେ ଅଣନିଶ୍ବାସ ଲାଗେ। ଏହା ପରେ ମଧ୍ୟ ଯେଉଁଠି ଦରକାର ପଡ଼େ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧେ।’

ସୂଚନା​ଯୋଗ୍ୟ ମଧ୍ୟପ୍ରଦେଶରେ ଗତ କିଛି ଦିନ ହେବ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଗତ ମଙ୍ଗଳବାର ଦିନ କରୋନା ରୋଗୀଙ୍କ ସଂଖ୍ୟା ଥିଲା ୨୫୪୪। ଏହା ସହ ୨୮ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପିଗଲାଣି। ଏହା ପରେ ବି ଗୃହମନ୍ତ୍ରୀ ମାସ୍କକୁ ନେଇ ଅଜବ ଯୁକ୍ତିବାଢ଼ିବାରୁ ବିରତ ହେଉ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.