ନକୁଳଙ୍କ ମୁଢିରେ ଧର୍ମେନ୍ଦ୍ରଙ୍କ ମନ…ଦୁଇ ବର୍ଷ ପରେ କଥା ରଖିଲେ, ଭୂଜା ଖାଇଲେ, ସେଲଫି ଉଠାଇ ସେୟାର କଲେ
28/12/2019 at 6:43 PM

ବଲାଙ୍ଗିର ୨୮।୧୨ : ବଲାଙ୍ଗିରର ନକୁଳ ଭୂଜାବାଲା । ସୋସିଆଲ ମିଡିଆରେ ଏବେ ସେ ଆହୁରି ଚର୍ଚ୍ଚାରେ । ସେ ଆଗରୁ ଅଜଣା ନଥିଲେ, ଏବେ କିନ୍ତୁ ବେଶି ଚର୍ଚ୍ଚିତ । କାରଣ ପୁଣିଥରେ ତାଙ୍କ ହାତ ତିଆରି ଝାଲ ମୁଢି ତାଙ୍କୁ ପ୍ରଶଂସାର ଶିଖରକୁ ନେଇଛି । ସେ ପୁଣିଥରେ ତାଙ୍କ ହାତ ତିଆରି ମୁଢି କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୁଆଇଛନ୍ତି ।ଯଦିଓ ଖୋଦ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଦୁଇ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି । ବଲାଙ୍ଗିରରେ ଏଲପିଜି ବଟଲିଙ୍ଗ ପ୍ଲାଣ୍ଟର ଉଦଘାଟନୀ ସହ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି ଉତ୍ସବର ଟାଇଟ୍ ସିଡ୍ୟୁଲରେ ବି ନକୁଳଙ୍କ ପାଇଁ ସମୟ କାଢି ତାଙ୍କ ହାତ ତିଆରି ମୁଢି ଖାଇଛନ୍ତି, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।କେବଳ ମୁଢି ଖାଇ ନାହାନ୍ତି, ନକୁଳଙ୍କ ସହ ୧୫ ମିନିଟ କଥା ହେବା ସହ ତାଙ୍କ ସହ ଉଠାଇଥିବା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଏବେ ଯୋର ଧରିଛି ଚର୍ଚ୍ଚା।

୨୦୧୭ ମସିହାରେ ଦିଲ୍ଲୀରେ ନୂଆଁଖାଇ ଭେଟଘାଟରେ ବଲାଙ୍ଗୀରର ଝାଲମୁଢି ଖାଇଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ବଲାଙ୍ଗିର ଫେମସ ତଥା ରଜ୍ୟ ଓ ରଜ୍ୟବାହାରେ ବି ପରିଚିତ ନକୁଳ ପଟ୍ଟନାୟକ ଭୁଜାବାଲାଙ୍କ ପ୍ରସ୍ତୁତ ସେହି ଝାଲ ମୁଢି । ତାର ସ୍ବାଦ ଧର୍ମେନ୍ଦ୍ରଙ୍କୁ ବେସ୍ ଭଲ ଲାଗିଥିଲା । ଦିଲ୍ଲୀରେ ନକୁଳଙ୍କ ଠାରୁ ଭୁଜା ଖାଇବା ପରେ ବଲାଙ୍ଗୀର ଆସି ସେ ନକୁଳଙ୍କ ଠାରୁ ପୁଣି ଭୂଜା ଖାଇବେ ବୋଲି କଥା ଦେଇଥିଲେ । ତାଙ୍କ କଥା ସେ ୨୭ ତାରିଖ ଦିନ ବଲାଙ୍ଗିର ଗସ୍ତ ଅବସରରେ ରଖିଛନ୍ତି । ସର୍କିଟ ହାଉସରେ ନକୁଳଙ୍କୁ ଭେଟି ତାଙ୍କଠାରୁ ଭୂଜା ଖାଇବା ସହ ଢେର ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନକୁଳ ଭୂଜା ବାଲା କହିଲେ ସମସ୍ତଙ୍କ ମୁହଁରୁ ବହିଥାଏ ଲାଳ। ଜଣେ ସାଧାରଣ ଭୂଜା ବିକାଳି। ହେଲେ ତାଙ୍କୁ ନେତା ଠାରୁ ଅଭିନେତା କିଏ ବା ନ ଜାଣେ। ବଲାଙ୍ଗୀର ସହର କ୍ଲବ ପଡାରେ ବାସ କରୁଥିବା ନକୁଳ ପଟ୍ଟନାୟକ ଭିନ୍ନ ଧରଣ ଝାଲମୁଢି ତିଆରି କରିବା ସହ ବିଭିନ୍ନ ପ୍ରକାରର ଚଟଣି ଆଚାରସହ ସିଙ୍ଗଡା ଭୂଜା ଖୁଆଇ ଗ୍ରାହକଙ୍କ ମନ ଜିଣିଛନ୍ତି ।କିନ୍ତୁ ନକୁଳଙ୍କ ସଂଘର୍ଷର କାହାଣୀ ବେସ୍ ଦୀର୍ଘ ।ପିଲା ଦିନରୁ ବାପା- ମାଙ୍କ ଠାରୁ ସେ ଭୂଜା ତିଆରି ଶୈଳି ଶିଖିବା ସହ ପରିବାରର ଦୁଖ ସମୟରେ କାମ କରିବାକୁ ବାଧ୍ୟ ହୋଇଥିଲେ। ତୃତୀୟ ଶ୍ରେଣୀରେ ହିଁ ତାଙ୍କୁ ପାଠ ପଢା ଛାଡିବାକୁ ପଡିଥିଲା । ଠେଲାଗାଡିରେ ଆରମ୍ଭ କରିଥିଲେ ବେପାର । ତେବେ ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୧୨ ବର୍ଷ। ଦୀର୍ଘ ୪୦ ବର୍ଷ ଧରି ଭୁଜା ବ୍ୟପାର କରିଆସୁଥିବା ନକୁଳଙ୍କୁ ଏବେ ବଲାଙ୍ଗୀର କୋଣ ଅନୁକୋଣରେ କିଏ ଅବା ନଜାଣେ। ନୂଆଁଖାଇ ଭେଟଘାଟ ହେଲେ କେବେ ଦିଲ୍ଲୀତ ଆଉ କେବେ ବେଙ୍ଗାଲୁରୁ ତ ଆଉ କେବେ ହାଇଦ୍ରାବାଦ ସବୁଠି ସେ ନିଜ ହାତ ତିଆରି ସ୍ବତନ୍ତ୍ର ଭୂଜା ଖୁଆଇ ଗ୍ରାହକଙ୍କ ମନ ଜିଣିଛନ୍ତି।

ତେବେ ଏତେ ପ୍ରଶଂସା ସତ୍ତ୍ବେ ନକୁଳଙ୍କ ଦୁଃଖ ଅନେକ ।ପରିବାର ଚଳାଇବାକୁ ସେ ସଂଘର୍ଷ କରିଚାଲିଛନ୍ତି। ଅଥଚ, ନିଜ ମାଟିରେ ତାଙ୍କର ସେହି ଭୂଜା ଠେଲା ଗାଡି ଟିକୁ ଲଗାଇବା ପାଇଁ ଭଲ ସ୍ଥାନଟିଏ ପାଇନାହାନ୍ତି । ଫଳରେ ନାନା ହଇରାଣ ହରକତ ହେଉଛନ୍ତି। ଏଥିଲାଗି ନକୁଳ ଜିଲ୍ଲା ପ୍ରଶାସନ ପାଖରେ ଗୋଟିଏ ଷ୍ଟଲ ପାଇଁ ଗୁହାରି କରିଛନ୍ତି । ଅପେକ୍ଷା କେବେ ତାଙ୍କ ଗୁହାରି ଶୁଣିବ ପ୍ରଶାସନ ?