୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ ଚିଠା ପ୍ରସ୍ତାବକୁ ମିଳିଲା ମନ୍ତ୍ରୀ ପରିଷଦର ମଞ୍ଜୁରୀ

Published By : Prameya-News7 Bureau | June 20, 2019 IST

ଭୁବନେଶ୍ବର ୨୦।୬:  ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଗୁରୁବାର ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ ଚିଠାପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ନେଇ ଆଲୋଚନା ହୋଇଥିଲା। ଏଥିରେ କୃଷି, ସ୍ୱାସ୍ଥ୍ୟ, ପାନୀୟଜଳ ଓ ପରିମଳ  ସମେତ ସହରାଞ୍ଚଳ ଗୃହନିର୍ମାଣ ଓ ସାମୁଦ୍ରିକ ବାତ୍ୟା ଫନି ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି।

୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ବଜେଟ ପରିମାଣ ୧ଲକ୍ଷ ୨୦ ହଜାର ୧୨୫ କୋଟି ଟଙ୍କା ଥିବା ବେଳେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ବଜେଟ ପରିମାଣରେ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ଆକଳନ କରିଛନ୍ତି ରାଜ୍ୟ ସରକାର। ଏଥିରେ ସାମାଜିକ କଲ୍ୟାଣ, ଗ୍ରାମ୍ୟ ବିକାଶ  ସମେତ ଗତ ନିର୍ବାଚନ ପୂର୍ବରୁ କୃଷକଙ୍କ ନିମନ୍ତେ ହାତକୁ ନିଆ ଯାଇଥିବା  ନୂଆ ଯୋଜନା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ସେହିପରି କୃଷି, ବିପର୍ଯୟ ପ୍ରସମନ, ଜଳ ଓ ପରିମଳ ବାବଦ ବ୍ୟୟ ବୃଦ୍ଧି କରାଯାଇଛି।

କୃଷି ବଜେଟକୁ ସରକାର୨୩.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ବିପର୍ଯୟ ପ୍ରସମନ ବାବଦେ ଅଢେଇଗୁଣ ଅଧିକ ବୃଦ୍ଧି କରିଥିବା ଅନୁମାନ କରାଯାଉଛି। ଗତ ଆର୍ଥିକ ବର୍ଷରେ ଏଥିପାଇଁ ବଜେଟରେ ୧ ହଜାର ୮୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ସେହିପରି ବଜେଟ୍ ରେ ପ୍ରଶାସନିକ ବ୍ୟୟ, ବିଭିନ୍ନ ଯୋଜନା ବାବଦ ବ୍ୟୟ ସାଙ୍ଗକୁ ଋଣ ଓ ସୁଧ ପରିଶୋଧ ବବାବଦ ବ୍ୟୟ ମଧ୍ୟ ସରକାର ବୃଦ୍ଧି କରିଥିବା ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.