ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ପୁଅ ଦେବାଶିଷକୁ କୋର୍ଟ ଚାଲାଣ

Published By : Prameya-News7 Bureau | September 20, 2018 IST

କେନ୍ଦୁଝର ୨୦/୯: ଟାଙ୍ଗୀ ଅଞ୍ଚଳରୁ ଗତକାଲି ଗିରଫ ହୋଇଥିବା ଗଣଶିକ୍ଷାମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ପୋଲିସ୍ ଆଜି କୋର୍ଟ ଚାଲାଣ କରିଛି। ଗତ ମଙ୍ଗଳବାର ଦିନ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡ଼ ପଦନା ଛକ ନିକଟରେ ପୁଲିସକୁ ଆକ୍ରମଣ କରି ଟୁଲୁ ସାହୁଙ୍କୁ ଛଡ଼ାଇନେବା ଏବଂ ଆନନ୍ଦପୁର ପୈାର ଉପାଧ୍ୟକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ଘଟଣାରେ ଦେବାଶିଷଙ୍କୁ ଗତକାଲି ପୁଲିସ୍ ଗିରଫ କରିଥିଲା। ସୂଚନାଯୋଗ୍ୟ ଯେ, ଫେସବୁକ୍ କମେଣ୍ଟକୁ ନେଇ ଗତ ୬ତାରିଖ ଦିନ ଘସିପୁରାରେ ତୁମୁଳକାଣ୍ଡ ଘଟିଥିଲା। ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ବନ୍ଦୀ ଗୋଷ୍ଠୀ ବିଜେଡ଼ି ଓ ସନାସନା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୋଲିସ୍ ଉପସ୍ଥିତିରେ ପୈାର ଉପାଧ୍ୟକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ସହ ସନାସେନାର ୬ଜଣ ସମର୍ଥକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ବିଜେଡ଼ି କର୍ମୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ୍ ଚାପରେ ରହି ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବୋଲି ପ୍ରତିବାଦ କରି ଥାନା ଘେରାଉ ମଧ୍ୟ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣାରେ ପୋଲିସ୍ ଟୁଲୁ ସାହୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ତାଙ୍କୁ ଥାନାକୁ ଆଣିବାବେଳେ ବଡ଼ପଦନା ଛକଠାରେ ଶତାଧିକ ବିଜେଡ଼ି କର୍ମୀ ପୋଲିସ୍ ଘେରରେ ଆକ୍ରମଣ କରି ଟୁଲୁ ସାହୁଙ୍କୁ ଛଡ଼ାଇନେଇଥିଲେ। ବିଜେଡ଼ିକର୍ମୀଙ୍କ ଆକ୍ରମଣରେ ପୁଲିସ୍ ଏସଆଇ ଗଗନ ନାଏକ,ହାବିଲଦାର ଗୋପାଳ ନାଏକ ଓ ଦୁଇଜଣ କନେଷ୍ଟବଲ ଆହତ ହୋଇଥିଲେ। ଏହି ଘଟଣାରେ ଦେବାଶିଷଙ୍କ ସଂପୃକ୍ତି ଥିବାରୁ ତାଙ୍କୁ ଗିରଫ ପାଇଁ ବିରୋଧୀଦଳ ଦାବି କରି ଆସୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.