୧୦ ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ

Published By : Prameya-News7 Bureau | September 17, 2019 IST

ଭୁବନେଶ୍ୱର ୧୭।୦୯- ନକଲି କୀଟ ନାଶକ ଓ ନିମ୍ନମାନର କୀଟ ନାଶକ ପ୍ରସ୍ତୁତକାରୀ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ୧୦ଟି ଜିଲ୍ଲାର କୃଷି ଉପ ନିର୍ଦ୍ଦେଶକଙ୍କୁ କୃଷି ମନ୍ତ୍ରୀ ଅରୁଣ ସାହୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ନିମ୍ନ ମାନର କୀଟନାଶକ ପ୍ରସ୍ତୁତକାରୀ ସଂସ୍ଥା ବିରୁଦ୍ଧରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ୧୦ଟି ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ପକ୍ଷରୁ ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ବରଗଡ଼, ସମ୍ବଲପୁର, ନୂଆପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୧୦ ଜଣ କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ମଙ୍ଗଳବାର ଦିନ ୧୦ଟା ସମୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସହିଦନଗରଠାରେ ଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଅଚାନକ ଗସ୍ତ କରିଥିଲେ । ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ଏବଂ ବୁଲା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କେନ୍ଦ୍ର ପରିଦର୍ଶନ କରିବା ସହିତ ଉପସ୍ଥାନ ଖାତା ଯାଞ୍ଚ କରିଥିଲେ । ଅନୁପସ୍ଥିତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମନ୍ତ୍ରୀ ଡ.।ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଦିନ ୧୦ଟା ୩୦ ମିନିଟ୍‌ ସମୟରେ ମନ୍ତ୍ରୀ ଡ. ସାହୁ ରାଜ୍ୟ ମାନ ନିୟନ୍ତ୍ରଣ ପରୀକ୍ଷାଗାରକୁ ଗସ୍ତ କରିଥିଲେ । ବିଭିନ୍ନ ଗବେଷଣା କେନ୍ଦ୍ର ବୁଲି ଦେଖିବା ସହିତ ସମ୍ମିଳନୀ କକ୍ଷରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କୁ। ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ନକଲି କୀଟ ନାଶକ ଔଷଧ ବିଷୟରେ ନ୍ୟୁଜ୭ରେ ଖବର ପ୍ରସାରଣ କରାଯାଇଥିଲା । ବରଗଡ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଷ ଦଲାଲଙ୍କ ବିଷୟରେ ଏକ ଅନୁସନ୍ଧାନ ମୂଳକ ଖବର ପ୍ରକାଶିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.