ଜୁଲାଇରେ ବର୍ଷା ଉଭାନ, ୧୯୧ ବ୍ଲକରେ ନିଅଣ୍ଟିଆ ବୃଷ୍ଟିପାତ

Published By : Prameya-News7 Bureau | August 01, 2021 IST

ଭୁବନେଶ୍ୱର,୦୧/୦୮: ଜୁଲାଇ ମାସରେ ରାଜ୍ୟରୁ ବର୍ଷା ଗାଏବ ହୋଇଯାଇଛି । ସ୍ୱାଭାବିକଠାରୁ କମ୍‌ ପରିମାଣରେ ବର୍ଷା ହୋଇଛି । ଏଥିପାଇଁ କିଛି ସ୍ଥାନରେ ଚାଷ କାମ ବାଧାପ୍ରାପ୍ତ ହେଲାଣି । ଜୁନ୍‌ ମାସରେ ୧୫୨ ବ୍ଲକ୍‌ରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଜୁଲାଇରେ ୧୯୧ ବ୍ଲକ୍‌ରେ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ଆସନ୍ତା ସପ୍ତାହରେ ବି ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ପ୍ରଫେସର ପଶୁପାଳକଙ୍କ ସୂଚନା ଅନୁସାରେ, ଜୁଲାଇ ମାସରେ ସ୍ୱାଭାବିକ ଭାବେ ୩୪୯.୮ ମିଲିମିଟର ବର୍ଷା ହେବା କଥା । କିନ୍ତୁ ରାଜ୍ୟରେ ମାତ୍ର ୨୬୭.୪ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକ ବର୍ଷାଠାରୁ ୨୩.୬% କମ୍‌ । ବୌଦ୍ଧରେ ସର୍ବାଧିକ ୩୬୩ ମିଲିମିଟର ବର୍ଷା ହୋଇଛି । ଯାଜପୁରରେ ସବୁଠୁ କମ୍‌ ୧୩୯.୬ ମିଲିମିଟର ବର୍ଷା ହୋଇଛି ।

ଜୁନ୍‌ ମାସରେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା । ଜୁଲାଇରେ ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ପୁରୀ, କଟକ, ଖୋର୍ଦ୍ଧା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ରାୟଗଡ଼ା, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ହୋଇଛି ।

ଜୁନ୍‌ ଓ ଜୁଲାଇ ଦୁଇ ମାସରେ ରାଜ୍ୟରେ ସ୍ୱାଭାବିକ ୫୬୦.୫ ମିଲିମିଟର ବର୍ଷା ହେବା କଥା । କିନ୍ତୁ ହୋଇଛି ମାତ୍ର ୪୪୮ ମିଲିମିଟର । ଏହା ସ୍ୱାଭାବିକଠାରୁ ୨୦% କମ୍‌ । ଏହି ଦୁଇ ମାସରେ ମାଲକାନଗିରିରେ ସବୁଠାରୁ ଅଧିକ ୫୯୦ ମିଲିମିଟର ବର୍ଷା ହୋଇଛି ।ଭଦ୍ରକରେ ସବୁଠୁ କମ୍‌ ୨୭୦.୫ ମିଲିମିଟର ବର୍ଷା ହୋଇଛି । ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, ଝାରସୁଗୁଡା, ସମ୍ବଲପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଜପତି, ବଲାଙ୍ଗୀର, କେନ୍ଦୁଝର ଓ ଅନୁଗୁଳରେ ନିଅଣ୍ଟିଆ ବର୍ଷା ହୋଇଛି ।

ତେବେ ରାଜ୍ୟର ୮ ବ୍ଲକ୍‌ରେ ଜୁଲାଇ ମାସରେ ୧୦୦ ମିଲିମିଟରରୁ କମ୍‌ ବର୍ଷା ହୋଇଛି । ଏହାଯୋଗୁ ଅଣଜଳସେଚିତ ଅଞ୍ଚଳରେ ଧାନ ରୁଆ ଓ ବେଉଷଣ ବାଧାପ୍ରାପ୍ତ ହୋଇଛି । ଆସନ୍ତା ସପ୍ତାହରେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଏଣୁ କମ୍‌ ପାଣିଥିଲେ ବି ରୁଆ, ବେଉଷଣ କରନ୍ତୁ । ଘାସ ବାଛି ସାର ପ୍ରୟୋଗ କରନ୍ତୁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି

ରାଜ୍ୟରେ ଆଜି କାଁଭାଁ କିଛି ସ୍ଥାନରେ ବର୍ଷା ହୋଇଛି । ଝାରସୁଗୁଡାରେ ୧୨ ମିଲିମିଟର ଓ ଦାରିଙ୍ଗିବାଡିରେ ୬ ମିଲିମିିଟର ବର୍ଷା ହୋଇଛି । ତେବେ ଆସନ୍ତା ୩ ଓ ୪ ତାରିଖରେ ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.