ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ସ୍ଥରରେ ଅଦଳବଦଳ : ମିନତୀ ବେହେରା ହେଲେ ନୂଆ ସଭାନେତ୍ରୀ
11/11/2018 at 2:17 PM

ଭୁବନେଶ୍ୱର ୧୧/୧୧ : ବିଜେଡି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ସ୍ଥରରେ ବ୍ୟାପକ ଅଦଳବଦଳ ହୋଇଛି | ବିଜେଡି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପଦରୁ ପ୍ରମିଳା ମଲ୍ଲିକ ଇସ୍ତଫା ଦେଇଛନ୍ତି | ତାଙ୍କ ସ୍ଥାନରେ ଡାକ୍ତର ମିନତୀ ବେହେରାଙ୍କୁ ସଭାନେତ୍ରୀ ପଦରେ ଅବସ୍ଥାପିତ କରାଯାଇଛି | ଆଜି ସକାଳେ ମିନତୀ ବେହେରା ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ | ସେହିଭଳି ଶ୍ରିମୟୀ ଶ୍ୱେତ ସ୍ନିଗ୍ଧା ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ ଏବଂ ଗୀତରାଣୀ ବସ୍ତିଆଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି | ଆଜି ସକାଳେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଲୋପାମୁଦ୍ରା ବକ୍ସିପାତ୍ର ଇସ୍ତଫା ଦେଇଥିଲେ | ଦଳର ସାଧାରଣ ସମ୍ପାଦିକା ଭାବେ ନିୟୋଜିତ କରାଯାଇଛି | ମୁଖପାତ୍ର ସୁଲତା ଦେଓଙ୍କୁ ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଭାବେ ଅବସ୍ଥାପିତ କରାଯାଇଛି | ଅଭିନେତ୍ରୀ ଏଲିନା ଦାସଙ୍କୁ ସମ୍ପାଦିକା ପଦ ମିଳିଛି | ବିଜୁ ମହିଳା ଜନତା ଦଳର ରାଜ୍ୟ କମିଟି ଓ ଜିଲ୍ଲା କମିଟିରେ କୌଣସି ପରିବର୍ତ୍ତନ କରାଯାଇନାହିଁ |
ଅନ୍ୟପକ୍ଷରେ ମହିଳା ଜନତା ଦଳର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବାପରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିଜୁ ଜନତା ଦଳର ଉପ-ସଭାନେତ୍ରୀ ଓ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି | ଜ୍ୟୋତି ପାଣିଗ୍ରାହୀ ଓ କସ୍ତୁରୀ ମହାପାତ୍ରଙ୍କୁ ବିଜୁ ମହିଳା ଜନତା ଦଳର ସହ-ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞତ୍ତିରେ କୁହାଯାଇଛି |