ପ୍ରାର୍ଥୀ ଘୋଷଣା ପରେ ପରେ ଚମ୍ପୁଆରୁ ନାମାଙ୍କନ ଦାଖଲ କଲେ ମିନାକ୍ଷୀ, କିଏ ଏ ମିନାକ୍ଷୀ କେମିତି ପାଇଲେ ଟିକେଟ୍ ଜାଣନ୍ତୁ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪ : ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେଡି ଆଜି କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମିନାକ୍ଷୀ ମହାନ୍ତଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିଛି । କେନ୍ଦୁଝର ଲୋକସଭା ଆସନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଭୁକ୍ତ ହୋଇଥିବାରୁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ଦିନ । ତେଣୁ ଆଜି ପ୍ରାର୍ଥୀ ଘୋଷଣା ପରେ ପରେ ମିନାକ୍ଷୀ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ତେବେ ଏବେ ପ୍ରଶ୍ନ ଉଠୁଛି ଯେ, କିଏ ମିନାକ୍ଷୀ ମହାନ୍ତ ଓ କେମିତି ସେ ବିଜେଡି ଟିକେଟ୍ ପାଇଲେ ।

{"id":99936}

ବିଶେଷ ସୂତ୍ରରୁ ଜଣାପଡିଛି ଯେ, କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁଙ୍କ ଭଳି ମିନାକ୍ଷୀ ମଧ୍ୟ ଚମ୍ପୁଆର ସ୍ବାଧୀନ ବିଧାୟକ ସନାତନ ମହାକୁଡଙ୍କ ପ୍ରାୟୋଜିତ ପ୍ରାର୍ଥୀ । ସନାତମଙ୍କ ପରାମର୍ଶ କ୍ରମେ ଚମ୍ପୁଆରେ ମିନାକ୍ଷୀଙ୍କୁ ପ୍ରାର୍ଥୀ କରାଯାଇଛି । ମିନାକ୍ଷୀ ହେଉଛନ୍ତି ସନାତନ ମହାକୁଡଙ୍କ ଜଣେ ଘନିଷ୍ଠ ସହଯୋଗୀ ଭକ୍ତବନ୍ଧୁ ମହାନ୍ତଙ୍କ ପତ୍ନୀ । ମିନାକ୍ଷା ମଧ୍ୟ କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରୁ ଅତୀତରେ ଜିଲ୍ଲା ପରିଷଦ ସଭ୍ୟା ଥିଲେ ।

{"id":99937}

ସନାତନ ମହାକୁଡ ନିଜେ ଗଢିଥିବା ଜନ ସମୃଦ୍ଧି ପାର୍ଟିରୁ ନିଜେ ଇସ୍ତଫା ଦେବା ପରେ ସେ ବିଜେଡି ଲାଇନ୍ ରେ ଅଛନ୍ତି ବୋଲି ଦୀର୍ଘଦିନ ହେଲା ଚର୍ଚ୍ଚା ହେଉଥିଲା । ସେ ବିଜେଡିର ଚମ୍ପୁଆ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ କଳ୍ପନାଜଳ୍ପନା କରାଯାଉଥିଲା । କିନ୍ତୁ କେନ୍ଦୁଝର ଜିଲ୍ଲାର ଦୁଇ ଜଣ ଟାଣୁଆ ନେତା ବଦ୍ରି ନାରାୟଣ ପାତ୍ର ଓ ଜିତୁ ପଟ୍ଟନାୟକଙ୍କ ସହ ଯେହେତୁ ସନାତନ ମହାକୁଡଙ୍କ ଯତିପାତ ଠିକ୍ ନାହିଁ ତେଣୁ ତାଙ୍କୁ ସିଧାସଳଖ ପ୍ରାର୍ଥୀ କରି ଦଳୀୟ ଅସନ୍ତୋଷର ସାମ୍ନା କରିବା ପାଇଁ ବିଜେଡ଼ି ଚାହିଁନଥିଲା ।

{"id":99938}

ବିକଳ୍ପ ଡିଲ୍ ହିସାବରେ ସନାତନ ମହାକୁଡଙ୍କୁ ରାଜ୍ୟସଭା ପଠାଇବା ପାଇଁ ବିଜେଡି ଯୋଜନା କରିଥିବାବେଳେ ସନାତନଙ୍କ ପରାମର୍ଶ କ୍ରମେ କେନ୍ଦୁଝର ଲୋକସଭା ଏବଂ ଚମ୍ପୁଆ ବିଧାନସଭା ଆସନରେ ପ୍ରାର୍ଥୀ ଦିଆଯିବ ବୋଲି ଦଳ ରାଜି ହୋଇଥିଲା । ପ୍ରତିବଦଳରେ ସନାତନ କେନ୍ଦୁଝର ଜିଲ୍ଲାରେ ବିଜେଡି ପ୍ରାର୍ଥୀଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ରାଜି ହୋଇଥିଲେ ।

{"id":99939,"width":578,"height":752}

ଚନ୍ଦ୍ରାଣୀ ମୁର୍ମୁ ଏବଂ ମିନାକ୍ଷୀ ମହାନ୍ତ ଉଭୟ ସନାତନ ମହାକୁଡଙ୍କ ପ୍ରାର୍ଥୀ ହୋଇଥିବାରୁ ସେମାନଙ୍କ ବିଜୟ ସମ୍ଭାବନା ଅଧିକ ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ସଂପୃକ୍ତ ଅଞ୍ଚଳରେ ବିଜେଡି ସଂଗଠନକୁ ସଜାଡିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୁଶ ଆପଟଙ୍କ ଗତିବିଧି ଏବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ । କୁଶ ଆପଟ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.