ସାଧାରଣ ଜନତାଙ୍କୁ ଝଟ୍‌କା: ମହଙ୍ଗା ହେଲା କ୍ଷୀର, ଚିନି, ଚା'ପତି

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭/୧୨ : ସାଧାରଣ ଜନତାଙ୍କ ରୋଷେଇ ଘର ଉପରେ ଲଗାତାର ମହଙ୍ଗା ମାଡ ବଢିଚାଲିଛି। ପନିପରିବା, ଡାଲି ଓ ତେଲ ପରେ ଏବେ ଚିନି, କ୍ଷୀର ଓ ଚା'ପତି ଦର ବୃଦ୍ଧି ପାଇଛି। ଉପଭୋକ୍ତା ମନ୍ତ୍ରାଳୟ ୱେବସାଇଟରେ ଦିଆଯାଇଥିବା ତାଲିକା ଅନୁଯାୟୀ, ନଭେମ୍ବର ୩୦ ତାରିଖରେ ଦେଶରେ ଖୁଚୁରା ବଜାରରେ ଚିନି ଦାମ କିଲୋ ପ୍ରତି ହାରାହାରି ୩୯.୬୮ ଟଙ୍କା ଥିଲା। କିନ୍ତୁ ଡିସେମ୍ବର ୭ ତାରିଖ ସୁଦ୍ଧା ଏହା ବୃଦ୍ଧି ପାଇ ୪୩ ଟଙ୍କା ୩୮ ପଇସା ହୋଇଯାଇଛି। ଖୋଲା ଚା'ପତି ଦାମ୍ ମଧ୍ୟ ପାଖାପାଖି ୧୧.୫୭ ପ୍ରତିଶତ ବୃଦ୍ଧି ପାଇଛି। ଚା'ପତି ଦାମ ୨୩୮ ଟଙ୍କାରୁ ୨୬୬ ଟଙ୍କା ହୋଇଛି। କ୍ଷୀର ଦାମ୍ ମଧ୍ୟ ପାଖାପାଖି ୭ ପ୍ରତିଶତ ବୃଦ୍ଧି ପାଇଛି। କ୍ଷୀର ଲିଟର ପ୍ରତି ୪୬.୭୪ ଟଙ୍କାରୁ ୫୦ ଟଙ୍କା ହୋଇଛି।

ସୂଚନା ଅନୁଯାୟୀ, କିଛି ଦିନ ହେଲା ଟମାଟୋ ଦାମ ମଧ୍ୟ ବୃଦ୍ଧି ପାଇଛି। ଡିସେମ୍ବର ମାସରେ ଟମାଟୋ ଦର ୩୭.୮୭ ପ୍ରତିଶତ ବୃଦ୍ଧି ପାଇଛି। ଖୁଚୁରା ବଜାରରେ ଟମାଟୋ କିଲୋ ପ୍ରତି ୫୦ ଟଙ୍କାରେ ବିକ୍ରି ହେଉଛି। ନଭେମ୍ବର ୩୦ ତାରିଖ ସୁଦ୍ଧା ଟମାଟୋ କିଲୋ ପ୍ରତି ପାଖାପାଖି ୩୬ ଟଙ୍କା ଥିଲା।

ଖାଇବା ତେଲ ଦାମ ହ୍ରାସ ପାଇଥିବା ନଜର ଆସିଛି। ପାମ୍ ତେଲ ପ୍ୟାକେଟ୍ ୧୦୨ ରୁ ୯୨ ଟଙ୍କା ହୋଇଛି। ତାଛଡା ସୂର୍ଯ୍ୟମୁଖୀ ତେଲ ୧୨୪ ରୁ ଖସି ୧୨୩ ଟଙ୍କା ହୋଇଛି। ବାଦାମ୍ ତେଲ ୧୫୬ ରୁ ୧୪୫ ଟଙ୍କା ହୋଇଥିବାବେଳେ ସୋରିଷ ତେଲ ୧୩୫ ଟଙ୍କାରୁ ୧୩୨ ଟଙ୍କାକୁ ଖସିଛି। ସୋୟାବିନ୍ ତେଲ ୬ ପ୍ରତିଶତ ବୃଦ୍ଧି ପାଇଛି।

ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁଯାୟୀ, ସାଧାରଣ ଜନତାଙ୍କୁ ଗହମ, ଅଟା ଓ ଚାଉଳ ଦାମରେ ଆଶ୍ବସ୍ତି ମିଳିଛି। ଗହମ ଦାମ ପାଖାପାଖି ୧୯.୪୫ ପ୍ରତିଶତ ହ୍ରାସ ପାଇଛି। ଗହମ କିଲୋ ପ୍ରତି ୨୯ ରୁ ୨୪ ଟଙ୍କାକୁ ଖସିଛି। ଖୁଚୁରା ବଜାରରେ ଅଟା ଦାମ ୩୨ ରୁ ୨୮ ଟଙ୍କାକୁ ଖସିଛି। ଚଣା ଓ ମୁଗ ଡାଲି ଶସ୍ତା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.