ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ଝିପି ଝିପି ବର୍ଷା...

Published By : Prameya-News7 Bureau | January 03, 2020 IST

ଭୁବନେଶ୍ବର୩/୧: ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ଝିପି ଝିପି ବର୍ଷା । ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୩୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆହୁରି ଦୁଇ ଦିନ ଏମିତି ପାଗ ଲାଗି ରହିବ । ବର୍ଷା ପାଇଁ ୧୧ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଦିଦିଆ ବର୍ଷା ଚାଷୀଙ୍କ ହୋସ୍ ଉଡାଇଛି । ବିଲ, ଖଳା, ମଣ୍ଡି- ସବୁଠି ଭିଜୁଛି ଧାନ ।

ଦେହରେ ଶୀତବସ୍ତ୍ର, ହାତରେ ଛତା । ଝିପିଝିପି ବର୍ଷାରେ ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ବାହାରିଛନ୍ତି । ଏ ଦୃଶ୍ୟ ବଲାଙ୍ଗୀର ସହରର । ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ଯାଏଁ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ହାଲୁକା ବର୍ଷା ଜାରି ରହିଛି । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଅନୁଗୁଳ, କଟକ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ଝିପିଝିପି ବର୍ଷା ହୋଇଛି । ଏ ଦୃଶ୍ୟ ବାଲେଶ୍ବରର । ଦିନ ୧୨ ଟାରେ ବି ଅନ୍ଧାର ଅନ୍ଧାର ଲାଗୁଛି । ବର୍ଷା ଭିଜା କୋହଲା ପାଗରେ ରାସ୍ତାଘାଟ ଶୂନଶାନ୍ । ଭଦ୍ରକରେ ବି ସମାନ ଅବସ୍ଥା ।

ଅଦିନିଆ ବର୍ଷା ଚାଷୀଙ୍କ ହୋସ୍ ଉଡାଇଛି । ବିଲ, ଖଳା, ମଣ୍ଡି- ସବୁଠି ଭିଜୁଛି ଧାନ । ମଣ୍ଡିରେ ପର୍ଯ୍ୟାପ୍ତ ପଲିଥିନ୍ ନଥିବାରୁ ବର୍ଷାରେ ଭିଜୁଛି ଧାନ । ଏ ଦୃଶ୍ୟ ସୋନପୁରର । ବର୍ଷା ଲାଗି ରହିଲେ ଧାନ ଗଜା ହେବା ଆଶଙ୍କା ଦେଖାଦେଇଛି । ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ବି ବର୍ଷା ଚାଷୀଙ୍କ ଚିନ୍ତା ବଢିଯାଇଛି । କାରଣ ଏଠି ଧାନ କଟା ହୋଇ ବିଲରେ ପଡିଛି । ଜଗତସିଂହପୁରରେ ମଧ୍ୟ ବିଲରେ ଧାନ ପଡିଥିବାରୁ ନଷ୍ଟ ହେବା ଆଶଙ୍କା ବଢି ଯାଇଛି ।

୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୩୧.୨ ମିଲିମିଟର, ଝାରସୁଗୁଡ଼ାରେ ୧୫.୯,  ବଲାଙ୍ଗୀରରେ ୧୫.୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ୨ ଦିନ ଯାଏଁ ଏମିତି କୋହଲା ପାଗ ସହ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୧ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ଆସିବ । ବର୍ଷା ଛାଡିବା ପରେ ସହ ଶୀତର ପ୍ରକୋପ ବଢିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.