ଆଣ୍ଡାମାନ ନିକୋବରରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୧
26/12/2020 at 9:48 PM

ପୋର୍ଟବ୍ଲେୟାର ୨୬।୧୨: ବଙ୍ଗୋପସାଗର ଦ୍ୱୀପପୁଞ୍ଜ ଆଣ୍ଡାମାନ ନିକୋବରରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସନ୍ଧ୍ୟାରେ ହୋଇଥିବା କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଅଙ୍କା ଯାଇଥିବା ବେଳେ ଏହାର ଉତ୍ପତିସ୍ଥଳ ଡିଗଲିପୁର ଥିଲାବୋଲି ନ୍ୟସନାଲ ସେଣ୍ଟର ଫର ସିସମୋଲଜି(ଏନସିଏସ୍) ସୂଚିତ କରିଛନ୍ତି। ତେବେ ୧୬ ବର୍ଷ ପୂର୍ବେ ଏହି ଦିନରେ ହୋଇଥିବା ଭୂମିକମ୍ପ ଓ ସୁନାମୀକୁ ମନେ ପକାଇ ଲୋକେ ଶିହରି ଉଠିଛନ୍ତି।
କମ୍ ତୀବ୍ରତାର କମ୍ପନ ଯୋଗୁ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ ସେପରି କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିଥିବା କୁହାଯାଇଛି। ସେହି ପରି କମ୍ପନର ତୀବ୍ରତା କମ୍ ଥିବାରୁ ବଙ୍ଗୋପସାଗରରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ସୁନାମୀ ଆଶଙ୍କା କରାଯାଉନଥିବା ସୂଚିତ କରାଯାଇଛି।
୨୬ ଡିସେମ୍ବର ୨୦୦୪ରେ ଭାରତ ମହାସାଗରରେ ଭୂମିକମ୍ପ ଓ ତତ୍ ଜନିତ ସୁନାମୀକୁ ଶନିବାର ୧୬ ବର୍ଷ ପୂରଣ ହୋଇଛି। ସମୁଦ୍ର ତଳେ ସୃଷ୍ଟି ହୋଇଥିବା କମ୍ପନ ଇଣ୍ଡୋନେସିଆ ସୁମାତ୍ରାକୁ ଗୁରୁତର ପ୍ରଭାବିତ କରିଥିବା ବେଳେ ସୁନାମୀ ପୂର୍ବ ଆଫ୍ରିକା ଉପକୂଳ ପର୍ଯ୍ୟନ୍ତ କ୍ଷୟକ୍ଷତି କରିଥିଲା। ଏଥିରେ ଆଣ୍ଡାମାନ ନିକୋବର ମଧ୍ୟ ଗୁରୁତର ପ୍ରଭାବିତ ହୋଇଥିଲା। ୧୬ ବର୍ଷ ପୂର୍ବରୁ ଏହି ପ୍ରାକୃତିକ ଦୁର୍ବିପାକର ଶନିବାର ବାର୍ଷିକ ଥିବା ବେଳେ କମ୍ପନ ଲୋକଙ୍କୁ ଦ୍ୱୀପ ରାଜ୍ୟରେ ଆତଙ୍କିତ କରିଛି।