ନିର୍ବାଚନ ଫଳାଫଳକୁ ମାନୁ ନାହାନ୍ତି ରିପବ୍ଲିକାନ, ନୂଆ ରାଷ୍ଟ୍ରପତିଙ୍କୁ ବିଶ୍ୱାସକୁ ନନେଇ ବିଦେଶ ଗସ୍ତରେ ଗଲେ ପମ୍ପେୟୋ

Published By : Prameya-News7 Bureau | November 15, 2020 IST

ୱାସିଂଟନ : ପରମ୍ପରାକୁ ଅଣଦେଖା କରି ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ ମାଇକ୍‌ ପମ୍ପେୟୋ ୭ ଦେଶୀୟ ଯାତ୍ରାରେ ବାହାରିଯାଇଛନ୍ତି। ତେବେ ନିୟମ ଅନୁସାରେ ଏଥିଲାଗି ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଅନୁମତି ମଧ୍ୟ ନେଇ ନାହାନ୍ତି। ଆମେରିକୀୟ ସମ୍ବିଧାନ ଅନୁସାରେ ନିବର୍ତ୍ତମାନ ପ୍ରଶାସନର ଯଦି କୌଣସି କର୍ମକର୍ତ୍ତା ଯେ କୌଣସି ପଦକ୍ଷେପ ଗ୍ରହଣ କରନ୍ତି ତା ପୂର୍ବରୁ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭରସାକୁ ନେବାକୁ ପଡିଥାଏ। ତେବେ ପମ୍ପେୟୋ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି।

ଏହି ଟୁରରେ ପମ୍ପେୟୋ ଫ୍ରାନ୍ସ ସମେତ ତୁର୍କି, ଜର୍ଜିଆ, ଇସ୍ରାଏଲ, ୟୁଏଇ, ପାଲେଷ୍ଟାଇନ, କତାର ଓ ସାଉଦୀ ଆରବ ଯିବେ। ବିଶେଷ କରି ଚୀନ୍‌ ଓ ଇରାନ ବିରୋଧରେ ଟ୍ରମ୍ପ ପ୍ରଶାସନ ଯେଉଁ କଡ଼ା ମନବୃତ୍ତି ପୋଷଣ କରିଥିଲେ ସେଥିଲାଗି ସମର୍ଥନ ଜୁଟାଇବା ପମ୍ପେୟୋଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ତେବେ ପମ୍ପେୟୋଙ୍କ ଯାତ୍ରା ଏକ ଅଜବ ରାଜନୈତିକ ପରିସ୍ଥିତିରେ ହେଉଥିବାରୁ ଫ୍ରନ୍ସ ପମ୍ପେୟୋଙ୍କ ଗସ୍ତର ବିସ୍ତୃତ ବିବରଣୀ ବାଇଡେନଙ୍କ ଟିମ୍‌କୁ ଦେବ ବୋଲି କହିଛି।

ବିଶ୍ୱର ଅଧିକାଂଶ ଦେଶ ୩ ନଭେମ୍ବର ଆମେରିକା ଜନାଦେଶକୁ ଗ୍ରହଣ କରିଛନ୍ତି। ଏପରିକି ଅନେକ ରାଷ୍ଟ୍ରମୁଖ୍ୟ ନିର୍ବାଚନରେ ବିଜୟ ଲାଗି ଡେମୋକ୍ରାଟିକ ନେତା ଜୋ ବାଇଡେନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ତେବେ ଟ୍ରମ୍ପ ପ୍ରଶାସନ ଓ ରିପବ୍ଲିକାନ ପାର୍ଟି ନିର୍ବାଚନ ଫଳାଫଳକୁ ଏପର୍ଯ୍ୟନ୍ତ ଗ୍ରହଣ କରୁନଥିବା ବେଳେ ଆମେରିକା ବିଦେଶ ମନ୍ତ୍ରାଳୟ ବାଇଡେନଙ୍କ ଟିମ୍‌ଙ୍କୁ ସହଯୋଗ କରୁନାହାନ୍ତି। ନିଜେ ମାଇକ ପମ୍ପେୟୋ କ୍ଷମତା ହସ୍ତାନ୍ତରଣ ଦ୍ୱିତୀୟ ଟ୍ରମ୍ପ ପ୍ରଶାସନ ଦ୍ୱାରା ହେବ ବୋଲି କହିସାରିଥିବା ବେଳେ ଏବେ ବିଦେଶ ଗସ୍ତରେ ଯାଇଛନ୍ତି।

ଗସ୍ତକାଳରେ ପମ୍ପେୟୋ ସୋମବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋନଙ୍କୁ ଭେଟିବେ। ତେବେ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍‌ଙ୍କ ଏହି ସାକ୍ଷାତ ଆଲୋଚନା ବାଇଡେନଙ୍କ ଟିମ୍‌ ସହ ସମ୍ପୂର୍ଣ୍ଣ ପାରଦର୍ଶିତା ଅବଲମ୍ବନ ପୂର୍ବକ ହେବ ବୋଲି ଜଣାପଡିଛି। ତେବେ ପମ୍ପେୟୋ ତୁର୍କି ଗସ୍ତକାଳରେ ରାଷ୍ଟ୍ରପତି ଅଥବା କୂଟନୀତିଜ୍ଞଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ। କେବଳ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗରେ କିଛି ଧାର୍ମିକ ନେତାଙ୍କୁ ଭେଟିବେ। ସେହିପରି ପାଲେଷ୍ଟାଇନ ଗସ୍ତରେ ମଧ୍ୟ ପମ୍ପେୟୋ କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ। ତେବେ ସେ ଯେଉଁସ୍ଥାନକୁ ଯିବାକୁ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି ତାହା ପାଲେଷ୍ଟାଇନରେ ଇସ୍ରାଏଲ ଜୋର ଜବରଦସ୍ତ ସ୍ଥାପନା କରିଛି।

ପାଲେଷ୍ଟେନିୟ ନେତାମାନେ ପମ୍ପେୟୋଙ୍କ ଗସ୍ତକୁ ତୀବ୍ର ବିରୋଧ କରୁଛନ୍ତି। ତାଙ୍କର ଏପରି ଗସ୍ତ କାର୍ଯ୍ୟକ୍ରମ ଇସ୍ରାଏଲକୁ ପ୍ରୋତ୍ସାହନ ଦେବା  ସହ ଅବୈଧ ବସ୍ତିକୁ ମାନ୍ୟତା ପ୍ରଦାନ କରିବ ବୋଲି ପାଲେଷ୍ଟେନୀୟ ନେତା ଅଭିଯୋଗ କରୁଛନ୍ତି। ତେବେ ଗସ୍ତ କାର୍ଯ୍ୟକ୍ରମକୁ ନେଇ ପମ୍ପେୟୋ କହିଛନ୍ତି ଯେ ମୁଁ ଆମେରିକାର ସେକ୍ରେଟାରୀ ଅଫ ଷ୍ଟେଟ ଅବସ୍ଥାପିତ ଅଛି। ସାରା ବିଶ୍ୱରୁ ଫୋନ ଆସୁଛି। ବିଭିନ୍ନ ଦେଶ ଆମର ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି। ସେମାନେ ଜାଣନ୍ତି ଆମର ଏକ ଆଇନଗତ ପ୍ରକ୍ରିୟା ରହିଛି। ସେମାନେ ଜାଣନ୍ତି ଏହା ଶେଷ ହେବାକୁ ନିର୍ଦ୍ଧିଷ୍ଟ ସମୟ ଲାଗିବ। ତେବେ ତାଙ୍କ କଥା ବିଦେଶରେ ଯେ ସ୍ୱୀକୃତ ହେଉଥିବ ତାହା  ସେ ଆଶା କରୁନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.