ଶୀତର ପହଲି ପରଶ : ଚିଲିକାରେ ପହଂଚିଲେ ୪୦ ରୁ ୫୦ ପ୍ରଜାତି ର ବିଦେଶାଗତ ପକ୍ଷୀ

Published By : Prameya-News7 Bureau | October 27, 2018 IST

ଚିଲିକା୨୭|୧୦: ମରାଳ ମାଳିନୀ ନୀଳାମ୍ବୁ ଚିଲିକା ର ନୀଳ ଜଳ-ରାଶି ଏବେ ଦେଶୀ-ବିଦେଶୀ ପକ୍ଷୀଙ୍କ କିଚିରି-ମିଚିରି ଶବ୍ଦରେ ମୁଖରିତ ହେଉଛି । ୪୦ ରୁ ୫୦ ପ୍ରଜାତି ର ବିଦେଶାଗତ ପକ୍ଷୀ ଚିଲିକାର ଅତିଥି ସାଜି ଏବେ-ଏବେ ପାଦ ଥାପିଛନ୍ତି ।  ବିଦେଶାଗତ ପକ୍ଷୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦେଖି ଟୁରିଷ୍ଟି ବୋଟଗୁଡିକ ରଙ୍ଗେଇ ହୋଇଛି । ଶୀତର ପହଲି ପରଶ ।  ନଳବଣରେ ଭିଡ଼ ଧିରେ ଧିରେ ବଢୁଛି। ବିଦେଶରୁ ଆସୁଛନ୍ତି ଚଢ଼େଇ । ଆଉ ଚଢ଼େଇଙ୍କୁ ଦେଖିବା ଲାଗି ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ। ନଳବଣ  ଏବଂ ମଙ୍ଗଳାଯୋଡିରେ ପକ୍ଷୀମାନେ ଅବତରଣ କରୁଛନ୍ତି। ସୁଦୂର ହିମାଳୟ , ସାଇବେରିଆରେ ଶୀତ ବଢୁଥିବାରୁ ଏମାନେ ଚିଲିକା ମୁହାଁ ହେଲେଣି। ଏମାନଙ୍କ ଭିତରେ ଅଛନ୍ତି ପିନ-ଟେଲ, ଗଡୱାଲ, ଶୋଭଲର, ଗଡଉଇଟ, ୱିଜଅନ, ପରପଲ-ମୋରେନ ଭଳି ପକ୍ଷୀ । ଅକ୍ଟୋବର ମାସ ଦ୍ଵିତୀୟ ସପ୍ତାହରେ ଏହି ବିଦେଶୀ ପକ୍ଷୀଙ୍କ ଆଗମନ  ଏବଂ ମାର୍ଚ୍ଚ ମାସ ଶେଷ ସପ୍ତାହରେ ପ୍ରତ୍ୟାବର୍ତନ ହୋଇଥାଏ । ଶୀତ ବଢ଼ିବା ସହିତ ଚିଲିକା ପ୍ରତି ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ସେଥିପାଇଁ ଡଙ୍ଗାଗୁଡ଼ିକୁ ସଜେଇବାରେ ଲାଗିଛନ୍ତି ଟୁର ଅପରେଟରମାନେ। ପର୍ଯ୍ୟଟକଙ୍କୁ ନୌକା ବିହାର ବିଦେଶୀ ପକ୍ଷୀଙ୍କ ସମ୍ପର୍କରେ ଟିକ-ନିଖି ତଥ୍ୟ ଦେବାପାଇଁ ଗାଇଡ ରେଡି ଥିବାବେଳେ ଡଙ୍ଗାଗୁଡ଼ିକୁ ମଧ୍ୟ ରଙ୍ଗେଈ ଦେଲେଣି । ଚିଲିକା କୁ ଏବେ ପ୍ରାୟ ୫୦ ରୁ ୬୦ ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇ ସାରିଲାଣି । ଚିଲିକାର ଅତିଥି ସାଜିଥିବା ଏହି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ପକ୍ଷୀ ସୁରକ୍ଷା ବାହିନୀ ବି ଖୁବ ସତର୍କ ଦୃଷ୍ଟି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.