‘ଆଉ କେବେ କାଶ୍ମୀର ଆସିବୁନି’: ଆତଙ୍କବାଦୀ ଆକ୍ରମଣରେ ଭୟଭୀତ ପ୍ରବାସୀ ଶ୍ରମିକ, ଘରକୁ ଫେରିବାକୁ ଷ୍ଟେସନରେ ଅସମ୍ଭବ ଭିଡ

Published By : Prameya-News7 Bureau | October 18, 2021 IST

ଜାମ୍ମୁ ୧୮/୧୦ : ଜାମ୍ମୁ କାଶ୍ମୀରରେ ଦିନକୁ ଦିନ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଜଣେ ପରେ ଜଣେ ଅଣ କାଶ୍ମୀରୀଙ୍କୁ ଟାର୍ଗେଟ କରି ହତ୍ୟା କରିଚାଲିଛନ୍ତି ଆତଙ୍କବାଦୀ । ବିଶେଷ କରି ପ୍ରବାସୀ ଶ୍ରମିକମାନେ ଏ​‌ବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନ୍ୟ ରାଜ୍ୟମାନଙ୍କରୁ ଯାଇ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ କାମ କରୁଥିବା ଶ୍ରମିକମାନେ ଭୟରେ ଘରୁ ବାହାରୁ ନାହାଁନ୍ତି ।

ଗତକାଲି ଅର୍ଥାତ ରବିବାର ବିହାରର ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ । ପ୍ରବାସୀମାନଙ୍କ ପାଇଁ ବିପଦ ବଢୁଥିବାରୁ ଭୟରେ ନିଜ ନିଜ ଘରକୁ ଫେରିଯିବା ପାଇଁ ବାହାରିଛନ୍ତି । ରେଳ ଷ୍ଟେସନରେ ଅସମ୍ଭବ ଭିଡ ଏହା ଦର୍ଶାଉଛି ଯେ, ପ୍ରକୃତରେ ସେମାନେ ଜାମ୍ମୁ କାଶ୍ମୀରରେ କେଉଁଭଳି ଭାବେ ରହୁଥିଲେ । ଗତ କିଛି ଦିନ ହେଲା ଲଗାତାର ଭାବେ ଆତଙ୍କବାଦୀ ମାନେ କେବଳ ଅଣ କାଶ୍ମୀରୀଙ୍କୁ ହିଁ ଟାର୍ଗେଟ କରିଚାଲିଛନ୍ତି ।

ଦେଶର ବିଭିନ୍ନ ରାଜ୍ୟକୁ ଯିବା ପାଇଁ ଶ୍ରମିକ ଶ୍ରେଣୀର ଲୋକମାନେ ଜାମ୍ମୁ ଷ୍ଟେସନରେ ଅସମ୍ଭବ ଭିଡ ଜମାଇଛନ୍ତି । ନିଜ ନିଜ ଘରକୁ ଯିବା ପାଇଁ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଅପେକ୍ଷାକରି ରହିଛନ୍ତି । କେବଳ ସେତିକି ନୁହେଁ ଖାଦ୍ୟ ଅଭାବରୁ ଛୋଟ ଛୋଟ ଶିଶୁମାନେ ମଧ୍ୟ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । କିଛି ଲୋକ ଆଉ କେବେ କାଶ୍ମୀରୀ ନଆସିବା ପାଇଁ ମଧ୍ୟ କହୁଛନ୍ତି । ସେମାନଙ୍କ କହିବା ମୁତାବକ, ଆତଙ୍କବାଦୀମାନେ ଧମକ ଦେଉଛନ୍ତି ଏବଂ ଅଣ କାଶ୍ମୀରୀ ବୋଲି ଜାଣିବା ପରେ ଗୁଳିକରି ହତ୍ୟା କରୁଛନ୍ତି ।

ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀରରେ କେବଳ ଅଣ କାଶ୍ମୀରୀଙ୍କୁ ହିଁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଗତ ରବିବାର କୁଲଗାମ ଜିଲ୍ଲାର ବିହାରର ୨ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହା ପୂର୍ବରୁ ମଧ୍ୟ ଅନେକ ଅଣ କାଶ୍ମୀରୀଙ୍କୁ ଖୋଜି ଖୋଜି ହତ୍ୟା କରିଥିଲେ ଆତଙ୍କୀ । ଗତକାଲି ବିହାରର ୨ ଜଣଙ୍କୁ ହତ୍ୟା କରିବା ପରେ ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କାଏ ସହାୟତା ରାଶି ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.