Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଭିନ୍ନ ସ୍ଥାନରେ ଘରକୁ ଫେରିବାକୁ ବିକଳ ଶ୍ରମିକଙ୍କ ଉତ୍ପାତ, ପୋଲିସ କାର୍ଯ୍ୟାନୁଷ୍ଠାନ

17/05/2020 at 6:46 PM

ନୂଆଦିଲ୍ଲୀ ୧୭।୫: ତୃତୀୟ ଲକଡାଉନର ରବିବାର ଥିଲା ଶେଷ ଦିନ। ଗତ ମାର୍ଚ୍ଚ ୨୫ ତାରିଖରୁ ଲଗାତାର ଲକଡାଉନ୍ ଘୋଷଣା ଯୋଗୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଓ ଶ୍ରମିକ ଧୈର୍ଯ୍ୟଚ୍ୟୁତ ହୋଇଛନ୍ତି। ଫଳରେ ବିଭିନ୍ନ ସ୍ଥାନରେ ଉତ୍ପାତ କରିଥିବାର ସୂଚନା ମିଳିଛି। ଫଳରେ ପୋଲିସକୁ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିଛି।

ରିଭାରେ ପ୍ରବାସୀଶ୍ରମିକଙ୍କ ଟେକାପଥର ମାଡ
ଲକଡାଉନ ୩ର ଶେଷ ଦିନ ସକାଳେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସୀମା ରିଭାରେ ଅଚାନକ ଶହଶହ ଶ୍ରମିକ ଘରକୁ ଫେରିବା ଲାଗି ଏକତ୍ର ହେବାରେ ଲାଗିଥିଲେ। ଦେଖୁ ଦେଖୁ ସେମାନଙ୍କ ସଂଖ୍ୟା ହଜାର ପାର କରିବା ବେଳେ କେଉଁ ଆଡକୁ ଯିବାକୁ କୌଣସି ବ୍ୟବସ୍ଥା ନଦେଖି ହତାସ ହୋଇପଡିଥିଲେ। ଶ୍ରମିକ ଠୁଳ ହେଉଥିବା ସୂଚନା ପାଇ ପୋଲିସ ପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ପୋଲିସ ଉପରକୁ ଟେକାପଥର ମାଡ କରିଥିଲେ। ତେବେ ପୋଲିସ ପରିସ୍ଥିତିକୁ ଆୟତ କରିବାରେ ସଫଳ ହୋଇଥିବା ଜଣାପଡିଛି।

ଚିରୁଲା ବର୍ଡରରେ ଉତ୍ତେଜନା
ଲୋକେ ଲକଡାଉନ ଶେଷ ଦିନର ସୁଯୋଗ ନେଇ ନିଜନିଜ ଘରକୁ ଫେରିଯାଉଥିବା ବେଳେ ସକାଳେ ଝାନ୍ସିକୁ ଲାଗି ଦତିଆ ସୀମା ଚିରୁଲା ବର୍ଡରରେ କିଛି ସମୟ ଲାଗି ଉତ୍ତେଜନା ପ୍ରକାଶ ପାଇଥିଲା। ଅଚାନକ ଶହଶହ ଗାଡି ଆସୁଥିବାର ସୂଚନା ପାଇ ପୋଲିସ ଚିରୁଲା ବର୍ଡରରେ ଅଟକାଇବାକୁ ଚେଷ୍ଟା କରିଥିଲେ। ଲୋକେ ନିଜନିଜ ବ୍ୟବସ୍ଥାରେ ଦୁଇ, ୩ ଓ ୪ ଚକିଆରେ ବାହନରେ ପଳାଇ ଯିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ ରାସ୍ତା ନ ଛାଡିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ପ୍ରତି ଲୋକଙ୍କ ଯାଞ୍ଚ କରି ଗାଡି ଛାଡିଥିବା ଜଣାପଡିଛି।

ଶ୍ରମିକଙ୍କ ହଙ୍ଗାମା ପରେ ହେଲା ବସ୍ ବ୍ୟବସ୍ଥା
ଫଞ୍ଜାବ, ଜମ୍ମୁ-କାଶ୍ମୀର ସମେତ ବିଭିନ୍ନ ସ୍ଥାନରୁ ପାଦରେ ଚାଲିଚାଲି ଆସିଥିବା ଲୋକେ ଶାହାରାନପୁର ଷ୍ଟେସନରେ ପହଞ୍ଚିବା ପରେ ରବିବାର ଉତ୍ତେଜନା ଦେଖାଦେଇଥିଲା। ଷ୍ଟେସନରେ ଟ୍ରେନ ଚାଲୁନଥିବାର ଜାଣିବା ପରେ ଲୋକେ ଭଙ୍ଗାରୁଜା କରିବାରେ ଲାଗିଥିଲେ। ଶେଷରେ ପ୍ରଶାସନ ପହଞ୍ଚି ଶ୍ରମିକଙ୍କ ଫେରିବା ଲାଗି ବ୍ୟବସ୍ଥା କରିବାରୁ ପରିସ୍ଥିତି ନିୟନ୍ତ୍ରିତ ହୋଇଛି।

ଦିଲ୍ଲୀ-ୟୁପି ବର୍ଡର ଗାଜୀପୁରରେ ବି ଜମିଲା ଶ୍ରମିକଙ୍କ ଭିଡ
ତୃତୀୟ ଲକଡାଉନ ଶେଷ ଦିନରେ ଦିଲ୍ଲୀ-ୟୁପି ବର୍ଡର ଗାଜୀପୁରରେ ବି ଶ୍ରମିକଙ୍କ ଭିଡ ଜମିଥିଲା। ତେବେ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଅସ୍ଥାୟୀ ରହଣୀ ସ୍ଥଳକୁ ପଠାଇବା ସହ ଡିଟିଡିସି ବସ୍ ଯୋଗେ ସେମାନଙ୍କ ଗନ୍ତବ୍ୟ ଉଦ୍ଦେଶ୍ୟରେ ଛଡାଯାଇଛି।

ଗୁଜରାଟ ରାଜକୋଟରେ ଶ୍ରମିକଙ୍କ ହଙ୍ଗାମା
ଲକଡାଉନରେ ସ୍ୱତନ୍ତ୍ର ଟ୍ରେନ ଚଳାଇ ଗୁଜରାଟ ସରକାର ଶ୍ରମିକଙ୍କୁ ନିଜନିଜ ଘରକୁ ପଠାଉଛନ୍ତି। ରାଜକୋଟ ସାପରରେ ଲୋକେ ଘରକୁ ପେରିବା ଲାଗି ଠୁଳ ହୋଇଥିବା ବେଳେ ଟ୍ରେନ କ୍ୟାନସଲ ଗୁଜବ ଉତ୍ତେଜନାର କାରଣ ପାଲଟିଥିଲା। ଲୋକେ ଷ୍ଟେସନ ନିକଟରେ ରଖାଯାଇଥିବା ଘରୋଇ ଗାଡି ବ୍ୟାପକ ଭଙ୍ଗାରୁଜା କରିଥିବା ବେଳେ ପୋଲିସ ଉପରକୁ ଟେକାପଥର ମାଡ କରିଥିଲେ। ତେବେ ଏସପି ବଲରାମ ମିଣା ପହଞ୍ଚି ପରିସ୍ଥିତିର ମୁକାବିଲା କରିଥିଲେ। ମିଳିଥିବା ସୂଚନା ଅନୁସାରେ ରାଜକୋଟରୁ ଉତ୍ତରପ୍ରଦେଶ ଓ ବିହାରକୁ ୩ଟି ଟ୍ରେନ ଚାଲିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ତେବେ ରବିବାର ସକାଳ ପର୍ଯ୍ୟନ୍ତ ଲୋକଙ୍କୁ ଏ ନେଇ ସୂଚନା ଦିଆ ନଯିବାରୁ ଲୋକେ ଷ୍ଟେସନରେ ପହଞ୍ଚି ହଙ୍ଗାମା କରିଥିଲେ।

   Related Posts