ସବୁ ସଚେତନତା ଫେଲ୍ : ସଙ୍ଗରୋଧରେ ୧୪ ଦିନ ରହିବା ପରେ ବି ପ୍ରବାସୀ ଶ୍ରମିକଙ୍କୁ ଗାଁରେ ପୁରାଇଦେଲେନି, ଜଙ୍ଗଲ ଭିତରେ ଦୟନୀୟ ଜୀବନ
2/06/2020 at 6:34 PM

ବରଗଡ଼ ୦୨/୦୬ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ମୂଳବାର ପଂଚାୟତ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ତାମିଲନାଡୁ ଫେରନ୍ତା ପ୍ରବାସୀ ଶ୍ରମିକ ୧୪ଦିନ କ୍ଵରେଣ୍ଟାଇନ ସେଣ୍ଟର ରେ ରହିବା ପରେ ଗାଁ କୁ ପ୍ରବେଶ ନିଷେଧ କରାଯାଇଛି । ଏବେ ଜଙ୍ଗଲ ଭିତରେ ଡାଳ ପତର କୁଡିଆ ତ ଆଉ କିଏ ଇଟାଭାଟି ନିକଟରେ ଜରିପାଲରେ କୁଡ଼ିଆ ତିଆରି କରି ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି ।

ଜଙ୍ଗଲ ଭିତରେ ଡାଳ ପତ୍ରର କୁଡିଆ । କୁଡିଆ ଭିତରେ ପଡିଛି ଏକ ଅଧାଭଙ୍ଗା ଖଟିଆ । ସେଇଠି ଦିନ କାଟୁଛନ୍ତି ଜଣେ ଏହି ବ୍ୟକ୍ତି । ଇଟା ଭାଟି ନିକଟ ଏକ କୁଡିଆରେ ଜରିପାଲ ଟଣାଟାଇଛି । ଜରି ଉଡିଯିବା ଆଶଙ୍କାରେ ଉପରେ ବିଛା ଯାଇଛି ଡାଳ । ଏଇଠି ପତ୍ନୀ ଓ ଛୁଆକୁ ଧରି ରହୁଛନ୍ତି ଆଉ ଜଣେ ପ୍ରବାସୀ ଶ୍ରମିକ । ଏ ଅଭାବନୀୟ ଦୃଶ୍ୟ ବରଗଡ ଜିଲ୍ଲା ଭଟଲି ବ୍ଲକ ସର୍ଦ୍ଧାପାଲି ଗାଁର । ଏହି ବ୍ୟକ୍ତିମାନେ ହେଲେ ସଂକୀର୍ତ୍ତନ ସୁନା, ରାଜେନ୍ଦ୍ର ସୁନା ଏବଂ ଉମାକାନ୍ତ ସେଠ । ଆପଣ ଭାବୁଥିବେ ଏମାନେ ଜଙ୍ଗଲରେ ଏମିତି ଅବସ୍ଥାରେ ରହୁଛନ୍ତି କାହିଁକି ? ମୁଣ୍ଡ ଗୁଂଜିବାକୁ କ’ଣ ଏମାନଙ୍କ ପାଇଁ କିଛି ବିକଳ୍ପ ନାହିଁ । କଥା ହେଉଛି ତାମିଲନାଡୁ ଫେରନ୍ତା ଏହି ୩ ଜଣ ଶ୍ରମିକ ୧୪ ଦିନ ସଂଙ୍ଗରୋଧ କେନ୍ଦ୍ରରେ କାଟିଥିଲେ । ହୋମ କ୍ବାରେଣ୍ଟାଇନ ରହିବାକୁ ଫେରିଥିଲେ ଘରକୁ । କିନ୍ତୁ ଗାଁର ମହିଳାମାନେ କରୋନା ସଂକ୍ରମଣ ଆଶଙ୍କାରେ ଏମାନଙ୍କୁ ଘରେ ପୂରାଇ ଦେଇନଥିଲେ ।ବାଧ୍ୟ ହୋଇ ନିଜ ପରିବାର ଲୋକଙ୍କ ସହ ଏମାନେ ଏପରି ଅବସ୍ଥାରେ କାଳ କାଟୁଛନ୍ତି ।

ଘଟଣା ସଂପର୍କରେ ଏମାନେ ସ୍ଥାନୀୟ ସରପଞ୍ଚ ଏବଂ ପ୍ରଶାସନକୁ ଜଣାଇଛନ୍ତି । ହେଲେ କାହା କାନକୁ ଯେମିତି ଶୁଭିନି ଏମାନଙ୍କ ଦୁଃଖ । ଟାଣ ଖରା ସହ ବର୍ଷାରେ ବି ଏମାନେ ଏହି ପତ୍ର କୁଡିଆରେ କାଳ କାଟୁଛନ୍ତି । କେବଳ ସେତିକି ନୁହେଁ, ପିଇବା ପାଣି ମୁନ୍ଦେ ଆଣିବାକୁ ବି ବିରୋଧ କରୁଛନ୍ତି ଗାଁ ଲୋକ । ଘଟାଣା ସଂପର୍ପରେ ନ୍ୟୁଜ ସେଭେନ ସ୍ଥାନୀୟ ପ୍ରଶାସନ ସହ ଜିଳ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ହେଲେ ଏଯାଏ କିଛି ବି ପଦକ୍ଷେପ ନିଆଯାଇନି ।

ନାନା କଷ୍ଟ ସହି ଘରକୁ ଫେରିଥିବା ଏହି ଶ୍ରମିକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଏମାନଙ୍କ କଷ୍ଟ ଦେଖି ନା ଗାଁଲୋକଙ୍କ ହୃଦୟ ତରଳୁଛି ନା ପ୍ରଶାସନ ନଜର ପଡିଛି ଏମାନଙ୍କ ଉପରେ । ଆଉ କେତେଦିନ ଏମାନେ ଏମିତି ଜଙ୍ଗଲରେ କାଳ କାଟିବେ ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି ।