ଦିଲ୍ଲୀ-ଗାଜିପୁର ସୀମାରେ ଶ୍ରମିକଙ୍କ ଭିଡ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ ପରେ ୟୁପିରେ ନୋ-ଏଣ୍ଟ୍ରି

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୫: ଉତ୍ତରପ୍ରଦେଶର ଔରେୟା ଜିଲ୍ଲାରେ ଶନିବାର ଘଟିଥିବା ଭୟଙ୍କର ସଡକ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ସମସ୍ତ ଅଧିକାରୀଙ୍କୁ ପ୍ରବାସୀ ଶ୍ରମିକଙ୍କ ଚାଲି ଚାଲି ଯିବା ବନ୍ଦ କରିବାକୁ କହିଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କୌଣସି ପ୍ରବାସୀ ନାଗରିକଙ୍କୁ ଚାଲି ଚାଲି, ବେଆଇନ କିମ୍ବା ଅସୁରକ୍ଷିତ ଭାବେ ଗାଡିରେ ଯାତ୍ରା କରିବାକୁ ଅନୁମତି ଦିଆଯାଉ ନାହିଁ ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗାଜିପୁର-ୟୁପି ସୀମାରେ ବହୁ ପ୍ରବାସୀ ଶ୍ରମିକଙ୍କୁ ଅଟକାଇ ଦିଆଯାଇଛି । ପୋଲିସ ସେମାନଙ୍କୁ ନିଜ ଅଞ୍ଚଳରେ ପ୍ରବେଶ କରିବାକୁ ଦେଉନାହିଁ । ଏହି କାରଣରୁ ସୀମାରେ ବହୁ ଭିଡ ଜମିଥିଲା । ଫଳରେ ଶ୍ରମିକମାନେ ରାସ୍ତା ଜାମ୍ କରିଥିଲେ । କିଛି ସମୟ ପରେ ପୁଣି ଥରେ ରାସ୍ତାରେ ଯାନବାହାନ ଚଳାଚଳ ଆରମ୍ଭ କରିଥିଲା ।

ଶନିବାର ଉତ୍ତରପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଅବନୀଶ କୁମାର ଅବସ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଔରେୟା ସଡକ ଦୁର୍ଘଟଣାରେ ସମବେଦନା ଜଣାଇବାବେଳେ କୌଣସି ପ୍ରବାସୀଙ୍କୁ ଚାଲି ଚାଲି, ବେଆଇନ କିମ୍ବା ଅସୁରକ୍ଷିତ ଭାବେ ଗାଡିରେ ଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରବାସୀମାନଙ୍କ ପାଇଁ ସୀମାରେ ୨୦୦ଟି ବସ୍ ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ୪୪୯ଟି ଟ୍ରେନ୍ ୟୁପିରେ ପହଞ୍ଚିଛି | ଏହା ସମଗ୍ର ଦେଶରେ ସର୍ବାଧିକ | ଏହି ଟ୍ରେନ୍ ମାଧ୍ୟମରେ ୫ ଲକ୍ଷ ୬୪ ହଜାର ଲୋକ ଯାତ୍ରା କରିଛନ୍ତି |

ଅବନୀଶ ଅବସ୍ତି କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ କୌଣସି ପ୍ରବାସୀ ଲୋକଙ୍କୁ ଚାଲି ଚାଲି, ଦୁଇ ଚକିଆ ଯାନ ଏବଂ ଟ୍ରକ୍ ରେ ରାଜ୍ୟ ସୀମାକୁ ଆସିବାକୁ ଦିଆଯିବ ନାହିଁ।

ପ୍ରବାସୀମାନଙ୍କୁ କ୍ବାରେଣ୍ଟାଇନ୍, ସେଲଟର ହୋମ୍ କିମ୍ବା ଅନ୍ୟାନ୍ୟ ଜିଲ୍ଲାକୁ ପଠାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ବେସରକାରୀ ଏବଂ ସ୍କୁଲ ବସ୍ ବ୍ୟବସ୍ଥା କରାଯିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଯଦି ପଥଚାରୀମାନେ କୌଣସି ପ୍ରକାରେ ଜିଲ୍ଲାକୁ ଆସନ୍ତି, ତେବେ ସେମାନଙ୍କୁ ସେଠାରେ ଅଟକାଇ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। କୌଣସି ପ୍ରବାସୀଙ୍କୁ ରାସ୍ତା କିମ୍ବା ରେଳ ଲାଇନରେ ଚାଲିବାକୁ ଦିଆଯିବା ଉଚିତ୍ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.