Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ରୋଜଗାର ଛଡେଇ ନେଇଥିଲା କରୋନା, ଏବେ ବେଙ୍ଗଲରେ ଅମ୍ଫାନ ଉଜାଡିଦେଲା ପ୍ରବାସୀ ଶ୍ରମିକଙ୍କ ଆଶ୍ରୟ

21/05/2020 at 7:13 PM

କୋଲକାତା୨୧।୫ : ଘୂର୍ଣ୍ଣିବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗରେ ପ୍ରବାସୀ ଶ୍ରମିକଙ୍କ ଉପରେ ଦୋହରା ମାଡ କରିଛି। କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଲୋକଙ୍କ ରୋଜଗାର ଯାଇଥିବା ବେଳେ, ବାତ୍ୟା ଏବେ ସେମାନଙ୍କ ଆଶ୍ରୟ ଛଡେଇନେଇଛି। ପଶ୍ଚିମବଙ୍ଗର ବିସ୍ତୃତ ଅଞ୍ଚଳ ବାତ୍ୟା ପ୍ରଭାବିତ ହୋଇଥିବା ବେଳେ ଶହ ଶହ ଘର ଭାଙ୍ଗିଦେଇଛି।

କରୋନା ଲକଡାଉନ୍‌ ଯୋଗୁ ଲୋକେ ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିଲେ। ତେବେ ସରକାର ପ୍ରବାସୀ ଶ୍ରମିକଙ୍କ ଲାଗି କୌଣସି ପଦକ୍ଷେପ ନ ନେଇ ଥରକୁ ଥର ଲକଡାଉନ ବଢାଇବାରେ ଲାଗିଥିଲେ। ଏଥିରେ ସେମାନଙ୍କ ସଞ୍ଚିତ ସରିଯିବାରୁ ଯେନତେନ ଘରକୁ ଫେରିଥିବା ଶ୍ରମିକଙ୍କ ବାସ ବୁଧବାର ଅମ୍ଫାନ ବାତ୍ୟାରେ ଧ୍ୱଂସ୍ତ ହୋଇଯାଇଛି। ଫଳରେ ହଜାର ହଜାର ଲୋକେ ପିଲାପରିବାର ଧରି ଏବେ ବିଭିନ୍ନ ସରକାରୀ ରିଲିଫ କ୍ୟାମ୍ପକୁ ପହଞ୍ଚିବାରେ ଲାଗିଛନ୍ତି।

ଏପରି ଲୋକେ ଏବେ ଆଗକୁ କ’ଣ କରିବେ ତାହା ମଧ୍ୟ ଜାଣନ୍ତି ନାହିଁ। ୨୦୦୯ ମସିହାରେ ଆସିଥିବା ଘୂର୍ଣ୍ଣିବାତ୍ୟା ‘ଏଲା’ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଲୋକେ ଉପାୟ ନ ପାଇ ରୋଜଗାର ଉଦ୍ଦେଶ୍ୟରେ ଦେଶର ଅନ୍ୟ ସହରାଞ୍ଚଳମାନଙ୍କୁ ପଳୟାନ କରିଥିଲେ। ବାହାର ରାଜ୍ୟରେ କାମ କରି ଯାହା ଆୟ କରୁଥିଲେ ସେଥିରେ ପରିବାର ସମ୍ଭାଳି ଆସିଥିବା ବେଳେ କରୋନା ସେମାନଙ୍କ ଭାତ ହାଣ୍ଡିରେ ପାଣି ଭରି ଦେଇଛି। ପେଟ ବିକଳରେ ଲୋକେ ଘରକୁ ଫେରିବା ବେଳେ ବାତ୍ୟା ସେମାନଙ୍କୁ ପୁଣି ଏଲା ପରବର୍ତ୍ତି ପରିସ୍ଥିତିକୁ ନେଇଯାଇଥିବା କହିଛନ୍ତି ଅନେକ ପ୍ରବାସୀ ଶ୍ରମିକ।

କରୋନା ଲକଡାଉନରେ ଲୋକେ ପାଖରେ ରଖିଥିବା ଖାଦ୍ୟ ଓ ଖର୍ଚ୍ଚ ସରିଯିବା ଯୋଗୁ ଘର ମୁହାଁ ହୋଇଥିଲେ। ଲକଡାଉନରେ ଗାଡିମଟର ନଥିବାରୁ ଶହଶହ ମାଇଲ ପାଦରେ ଚାଲିଚାଲି ଘରକୁ ଫେରିଥିଲେ। ହେଲେ ପହଞ୍ଚିବା ପରେ ବିଶ୍ରାମ ଲାଗି ଘର ବାତ୍ୟା ଉଜାଡି ଦେଇଥିବା ଜନୈକ ପ୍ରବାସୀ ଶ୍ରମିକ କହିଛନ୍ତି। ସରକାର ଏପର୍ଯ୍ୟନ୍ତ ବାତ୍ୟା କ୍ଷୟକ୍ଷତି ଆକଳନ କରିନାହାନ୍ତି। ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏବେ ସମ୍ଭବ ନୁହେଁ ବୋଲି ପଶ୍ଚିମବଙ୍ଗ ପ୍ରଶାସନର ଜନୈକ ଅଧିକାରୀ କହିଛନ୍ତି। କାରଣ ବାତ୍ୟାରେ ସର୍ବାଧିକ ପ୍ରଭାବିତ ଅଞ୍ଚଳକୁ ଗମନା ଗମନ ଏବେବି ସମ୍ଭବ ନୁହେଁ। ରାସ୍ତାଘାଟ ନଷ୍ଟ ହୋଇଯାଇଛି। ଏଥିପାଇଁ ଆହୁରି କିଛି ସମୟ ଲାଗିବ ବୋଲି ଅଧିକାରୀ କହିବା ଲୋକଙ୍କ ଦୁର୍ଦ୍ଦଶା ବହୁଗୁଣିତ କରିଦେଇଛି।

   Related Posts