Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଲକଡାଉନରେ ଘରମୁହାଁଙ୍କ ଯନ୍ତ୍ରଣା ଅସହ୍ୟ : ଶହ ଶହ କିଲୋମିଟର ରାସ୍ତା ଚାଲିବା ଛଡା ବିକଳ୍ପ ନାହିଁ, ଅଥଚ ପ୍ରଶାସନ ପାଖରେ ହିସାବ ନାହିଁ କି ଖବର ନାହିଁ

13/05/2020 at 6:30 PM

ଭୁବନେଶ୍ୱର ୧୩/୦୫ : କରୋନା ପାଇଁ ଲକଡାଉନ ପରେ ନାନା ସମସ୍ୟାରେ ଛନ୍ଦି ହୋଇଛନନ୍ତି ଦିନ ମଜୁରିଆ ଓ ଦାଦନ ପାଇଁ ବାହାର ରାଜ୍ୟକୁ କାମଧନ୍ଦା ପାଇଁ ଯାଇଥିବା ଶ୍ରମିକ ଶ୍ରେଣୀର ବ୍ୟକ୍ତି । କାମଧନ୍ଦା ବନ୍ଦ ଥିବାରୁ ଅନେକ ଶ୍ରମିକ ଘରେ ବସି ରହିଛନ୍ତି । ପାଖରେ ଅର୍ଥ ନାହିଁ କି ଖାଇବାକୁ ନାହିଁ । ବାହାର ରାଜ୍ୟକୁ ଯାଇଥିବା ଶ୍ରମିକମାନେ ଗତ କିଛି ଦିନ ହେଲା ଘରକୁ ଫେରିବା ଆରମ୍ଭ କରିଛନ୍ତି । ଘରେ ପହଞ୍ଚିବାକୁ ବସ୍ ଟ୍ରେନ୍‌ ଚାଲୁନଥିବାରୁ ବାଧ୍ୟହୋଇ କିଏ ଚାଲି ଚାଲି ଘରକୁ ଫେରୁଛି ତ କିଏ ସାଇକେଲ୍‌ରେ । ଖରା ତରାକୁ ଖାତିର ନକରି ନଖାଇ ନପିଇ ବାଧ୍ୟ ହେଉଛନ୍ତି ଭିଟା ମାଟିକୁ ଫେରିବାକୁ ।…..

ରାସ୍ତାରେ ଦାଦନଙ୍କ ଲମ୍ବାଧାଡି । ହାତରେ ବ୍ୟାଗ୍‌ , ମୁଣ୍ଡରେ ବସ୍ତା । ଖରାତରାକୁ ଖାତିର ନକରି ପାଦ ବଢି ଚାଲିଛି ଭିଟା ମାଟି ଆଡକୁ । ଯେମିତି ହେଲେବି ଘରେ ପହଞ୍ଚିବାକୁ ହେବ । ବିଭିନ୍ନ ଅଞ୍ଚଳର ରାସ୍ତା ଘାଟରେ ଏବେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଏ ହେଉଛି ରାୟଗଡା ଅଞ୍ଚଳର ରାଜପଥର ଦୃଶ୍ୟ । ଚାଲି ଚାଲି ଦଳ ଦଳ ହୋଇ ଘରକୁ ଫେରୁଛନ୍ତି ଶ୍ରମିକମାନେ । ଆଉ କିଛି ଶ୍ରମିକ ମାଇଲ୍ ମାଇଲ୍ ବାଟ ସାଇକେଲ୍‌ରେ ଫେରୁଥିବା ଦେଖିବାକୁ ମିଳିଛି । ଗତ ୪ ଦିନରେ ଏମିତି ପ୍ରାୟ ୫ ହଜାର ଶ୍ରମିକ ତେଲେଙ୍ଗାନା , ତାମିଲନାଡୁ, ଛତିଶଗଡ ଆଦି ରାଜ୍ୟକୁ ଭିଟାମାଟିକୁ ଫେରିଛନ୍ତି । ସେହିଭଲି ନବରଙ୍ଗପୁର, ନୂଆପଡା, ବରଗଡ, ବଲାଙ୍ଗିର ଓ ସୁନ୍ଦରଗଡ ଜିଲ୍ଲାରୁ ମଧ୍ୟ ପାଖାପାଖି ଏକ ହଜାର ସଂଖ୍ୟାରେ ଦାଦନ ପାଦରେ ଚାଲିଚାଲି ଶହ ଶହ କିଲୋମିଟର ପଥ ଅତିକ୍ରମ କରି ଜିଲ୍ଲାରେ ପହଞ୍ଚିଛନ୍ତି । ଫେରୁଥିବା ଶ୍ରମିକଙ୍କ ହିସାବ ଜିଲ୍ଲା ପ୍ରଶାସନ ପାଖରେ ନାହିଁ ।

କେବଳ ରାୟଗଡା ନୁହେଁ ବିଭିନ୍ନ ଜିଲ୍ଲାକୁ ଏଭଳି ଫେରିବାରେ ଲାଗିଛନ୍ତି ଦାଦନ । ଏ ହେଇଛନ୍ତି କେନ୍ଦୁଝର ତେଲକୋଇ ସରେଇ ଗାଁର ଅରୁଣ ପ୍ରଧାନ । ପେଟ ପୋଷିବାକୁ ଯାଇଥିଲେ ହାଇଦ୍ରାବାଦ । ଲକ୍‌ଡାଉନ୍ ପରେ କାମଧନ୍ଦା ବନ୍ଦ ହୋଇଯିବାରୁ ପାଖରେ ଅର୍ଥର ଅଭାବ ଦେଖାଗଲା । ତେଣୁ ହାଇଦ୍ରାବାଦରୁ ଚାଲି ଚାଲି ଘରକୁ ବାହାରିଥିଲେ ଅରୁଣ । ଦୀର୍ଘ ୧୧ ଦିନର ପଦଯାତ୍ରା ପରେ ଭୂବନେଶ୍ବରେ ପହଞ୍ଚିଥିଲେ । ଆଉ ଏଠାରୁ ଏକ ଟ୍ରକ ଯୋଗେ ପାଲଲହଡା ଖମାର ଠାରେ ପହଞ୍ଚି ଆଉ ଚାଲି ନପାରି ବାରୁ ଘରକୁ ଫୋନ କରି ଥିଲେ ।ଘରଲୋକ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇବାପରେ ସରପଞ୍ଚ ଖମାରଠାରୁ ଏକ ଡାଲା ଟେମ୍ପୋ ରେ ତେଲକୋଇ ମେଡିକାଲକୁ  ଆଣି ସ୍ବାସ୍ଥ୍ୟ ପରୀକ୍ଷା କରି କ୍ବାରାଣ୍ଟାଇନ୍‌କୁ ପଠାଇଛନ୍ତି ।

ଆନ୍ଧ୍ରପ୍ରଦେଶ ବିଜୟୱାଡାରେ କାମ କରୁଥିବା ଏହି ଝାଡଖଣ୍ଡ ଅଞ୍ଚଳର କିଛି ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ଦେଖନ୍ତୁ । କାମଧନ୍ଦା ବନ୍ଦ ପରେ ୮ ଜଣ ଶ୍ରମିକ ଗତ ୫ ଦିନ ହେଲା ନିଜ ଘର ଅଭିମିୁଖେ ଚାଲି ଚାଲି ବାହାରିବା ପରେ ଏବେ ଆଠଗଡ ବାଳି ନିକଟ ୫୫ ଜାତୀୟ ରାଜପଥରେ ପହଞ୍ଚିଛନ୍ତି । ଘରେ ପହଞ୍ଚିବାକୁ ଆଉ ୫ ଦିନ ସମୟ ଲାଗିଯିବ । ଓଳିଏ ଖାଇଲେ ଓଳିଏ ଉପାଷ ରହି ପାଦ ବଢାଇ ଚାଲିଛନ୍ତି । ଗୋଟିଏ ଲକ୍ଷ୍ୟ ଯେମିତି ହେଲେ ଘରେ ପହଞ୍ଚିବେ । ନା ଏମାନଙ୍କୁ ଦେଖିବା ପାଇଁ କେହି ଅଛି ନା ଏମାନଙ୍କ ଦୁର୍ଦ୍ଦଶା ବୁଝିବାକୁ ।

ସେପଟେ କେନ୍ଦ୍ରାପଡା ରାଜକନିକା ବାଜପୁର ଗାଁର ଗଦାଧର ବିଶ୍ବାଳ ନାମକ ଶ୍ରମିକ ହରିୟାଣାରେ ଖାଇବାକୁ ନପାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଦାଧରଙ୍କ ସହ ତାଙ୍କ ଗାଁ ପିଲାମାନେ ହରିୟାଣା ଯମୁନା ନଗରରେ ରହି କାମ କରୁଥିଲେ । ଲକ ଡାଉନ ପରେ କାମ ବନ୍ଦ ହୋଇଯିବାରୁ ଖାଇବାକୁ ପାଇଲେ ନାହିଁ । ଏହି ଘଟଣା ସେମାନେ ଆଗରୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସେମାନଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ । ଆଉ ଶେଷରେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ହତ୍‌ବାକ କରିଛି |

   Related Posts