ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ପ୍ରବାସୀ ଶ୍ରମିକଙ୍କୁ ମନରେଗାରେ ମିଳିବ କାମ, ରାସନ୍ କାର୍ଡ୍ ନଥିଲେ ମଧ୍ୟ ମିଳିବ ଚାଉଳ ଓ ଗହମ

Published By : Prameya-News7 Bureau | May 14, 2020 IST

ନୂଆଦିଲ୍ଲୀ, ୧୪|୦୫:   କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ ବାବଦରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଏଥିରେ ଶ୍ରମିକ, କୃଷକଙ୍କ ପାଇଁ ଅନେକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୩ କୋଟି କୃଷକଙ୍କୁ ପୂର୍ବରୁ ୪ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରାଯାଇଛି । ୨ ମାସରେ ୨୫ ଲକ୍ଷ କିସାନ କ୍ରେଡିଟ୍ କାର୍ଡ ବଣ୍ଟନ କରାଯାଇଛି । ସେମାନଙ୍କୁ ମଧ୍ୟ ୨୫ ହଜାର କୋଟିର ଋଣ ପ୍ରଦାନ କରାଯାଇଛି । ଏପରିକି ମେ ୩୧ ଯାଏଁ କୃଷକଙ୍କ ପାଇଁ ସୁଧ ପ୍ରଦାନରେ ଆଶ୍ୱସ୍ତି ପ୍ରଦାନ କରାଯାଇଛି । ବିଭିନ୍ନ ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିପାରିବେ ବୋଲି ଅନୁମତି ପ୍ରଦାନ କରାଯାଇଛି । ଏହା ରାଜ୍ୟର ଅଧିକାର । ବିଭିନ୍ନ ସହରରେ ରହୁଥିବା ଶ୍ରମିକମାନେ ଯେଉଁମାନଙ୍କର ଘର ନାହିଁ ସେମାନଙ୍କ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ୧୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ଦେଶରେ ୭୨୦୦ଟି ନୂଆ ଏସଏସଜି ଗଠନ କରାଯାଇଛି । ଏହାସହ ବିଭିନ୍ନ ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେମାନଙ୍କୁ ମନରେଗା କାମ ପ୍ରଦାନ କରାଯିବ । ୨.୩୩ କୋଟି ଶ୍ରମିକଙ୍କୁ ପଞ୍ଚାୟରେ କାମ ମିଳିବ ।

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ଶ୍ରମିକଙ୍କୁ ସର୍ବନିମ୍ନ ପାରିଶ୍ରମିକର ଅଧିକାର ମିଳିବ । ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷାକୁ ଗୁରୁତ୍ୱ ଦିଆଯିବ । ସେହିପରି ଶ୍ରମିକଙ୍କ ସର୍ବନିମ୍ନ ମଜୁରୀକୁ ୧୮୨ରୁ ୨୦୨କୁ ବୃଦ୍ଧି କରାଯାଇଛି । ଶ୍ରମ ଆଇନରେ ସଂଶୋଧନ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।ଏବେ ଶ୍ରମିକଙ୍କୁ କୌଣସି ସଂସ୍ଥା ଜରିଆରେ ନୁହେଁ ବରଂ ସିଧାସଳଖ ଭାବେ କାମ ଦିଆଯିବ । ଏଥିପାଇଁ ସଂସଦରେ କାମ ଜାରି ରହିଛି ।ମହିଳାଙ୍କୁ ଯଦି ରାତିରେ କାମ କରିବାକୁ ପଡିବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ।ବିପଦଜ୍ଜନକ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଇଏସଆଇକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଯେଉଁ ଶ୍ରମିକଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ୫ କେଜି ଗହମ, ଚାଉଳ ଓ ଏକ କେଜି ଡାଲି ମିଳିବ । ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ଏହାର ଲାଭ ମିଳିବ ।ଏଥିପାଇଁ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରାଜ୍ୟ ପାଖରେ ଏହି ଶ୍ରମିକଙ୍କ ବାବଦରେ ତଥ୍ୟ ରହିଛି । ୨ ମାସ ଯାଏଁ ଏହା ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.