ଫ୍ରିଜରରେ ସଢୁଛି ମୃତଦେହ, ହରିୟାଣାରୁ ଶବ ଆଣିବାକୁ ଏସପିଙ୍କ ଦ୍ବାରସ୍ଥ ହେଲେ ପତ୍ନୀ

Published By : Prameya-News7 Bureau | May 12, 2021 IST

ଭଦ୍ରକ ୧୨।୫: କାମ କରିବା ପାଇଁ କହି ସାଙ୍ଗରେ ହରିୟାଣା ନେଇଥିଲେ । ମାସିକ ୩୦ ହଜାର ଟଙ୍କାର ବେତନ ଦେବାକୁ ମଧ୍ୟ ପ୍ରଲୋଭିତ କରିଥିଲେ । ସାଙ୍ଗରେ ନେଇଥିବା ବ୍ୟକ୍ତି କରୋନା ପାଇଁ ନିଜ ପରିବାର ସହ ବିମାନରେ ଘରକୁ ଫେରିଥିଲେ । କିନ୍ତୁ ହରିୟାଣାରେ ରହିଗଲେ ସୁଦର୍ଶନ । ଏବେ ଖବର ଆସିଛି ଯେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ କହିଛି ଶବ ଆସିଲେ ଚିହ୍ନଟ ହେବ ଓ ବ୍ୟବଚ୍ଛେଦ ହେବ । କିନ୍ତୁ ଛୋଟ ପିଲାଙ୍କୁ ନେଇ ଯାଇ ପାରୁନାହାନ୍ତି ସ୍ତ୍ରୀ । ସ୍ବାମୀଙ୍କ ଏଭଳି ଅବସ୍ଥା ପାଇଁ ନେଇଥିବା ବ୍ୟକ୍ତିକୁ ଦାୟୀ କରୁଥିବା ବେଳେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏବେ ମୃତଦେହକୁ ସତ୍କାର କରି ନପାରି ଶୁଦ୍ଧି କ୍ରିୟା ମଧ୍ୟ କରିପାରୁ ନାହାନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ବାଂଶବାଗ ଗାଁର ସୁଦର୍ଶନ ମଲ୍ଲିକ ନିକଟସ୍ଥ ବାରୁଣାଇ ଗାଁର ନାରାୟଣ ରାଉଳଙ୍କ ସହ ତାଙ୍କ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ଦୀର୍ଘ ୧୫ ମାସ ମଧ୍ୟରେ ସେ ଠିକ୍ ଭାବେ ଦରମା ପାଉନଥିବା ବେଳେ ଏକ ସଙ୍ଗେ ସବୁ ବକେୟା ମିଳିବ ବୋଲି ନାରାୟଣ କହିଥିଲେ । କିନ୍ତୁ ଘରକୁ ଫେରିବାକୁ ମଧ୍ୟ ଛାଡୁନଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ । ତେବେ ନାରାୟଣ ତାଙ୍କ ପରିବାର ସହ ଘରକୁ ଆସିଥିବା ବେଳେ ସୁଦର୍ଶନଙ୍କୁ ଆଣିନଥିଲେ । ତେବେ ସୁଦର୍ଶନ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । କିନ୍ତୁ ଗତ ୯ ତାରିଖରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ । ଏନେଇ ତିହିଡି ଥାନାରେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ପୋଲିସ ଘଟଣାର ତଦନ୍ତ ମଧ୍ୟ କରୁନାହିଁ ବୋଲି ଭଦ୍ରକ ଏସପିଙ୍କୁ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ । ହରିୟାଣରେ ମୃତକଙ୍କ ମୃତଦେହ ପଡି ରହିଥିବା ବେଳେ ଶବ ଚିହ୍ନଟ ହୋଇ ନଥିବାରୁ ଫ୍ରିଜରରେ ରଖାଯାଇଛି । ଆର୍ଥିକ ସ୍ଵଛଳ ନଥିବାରୁ ପରିବାର ଲୋକେ ଯାଇ ପାରୁନାହାନ୍ତି କି ଶୁଦ୍ଧି ମଧ୍ୟ ହୋଇ ପାରୁନାହାନ୍ତି । ଏବେ ପ୍ରଶାସନିକ ସାହାଯ୍ୟକୁ ଅନାଇଛନ୍ତି ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.